ମାଡ଼ିବସୁଛନ୍ତି
ଯେତେ ଅଲୋଡ଼ା ସ୍ବପ୍ନ ।
ଜରାଗ୍ରସ୍ତ ଜହ୍ନ, ଶୋକାଗ୍ରସ୍ତ ସୂର୍ଯ୍ୟ,
ଘନୀଭୂତ ଅନ୍ଧାରର ରାଜତ୍ୱ ।
ଈଶ୍ୱର ବନ୍ଦୀ
ପରିଚିତ ବ୍ୟାଧର ଫାଶରେ,
ମୁକୁଳିବାର ଯୁ' ନାହିଁ ।
କ'ଣ ବା କହିବେ କାହାକୁ -
ସେ ନିଜେ ତ
ମୃଗୁଣୀକୁ ଦେଖି ମୋହାସକ୍ତ,
ଭକ୍ତର ଆବେଗରେ ଭାବାସକ୍ତ ।
ସମୟର ନିଷ୍ଠୁର ଚାବୁକ୍ ମାଡ଼ରେ
ନିଜ ଶବକୁ କାନ୍ଧରେ ବୋହି
ଚାଲିଛି ପଥିକ ।
ଅଳ୍ପ ବୟସେ ଝରିପଡୁଛି ଫୁଲ,
ପାକଳ ହେଉଛି ଫଳ ।
ଉଡ଼ନ୍ତା ଚଢ଼େଇର ପର
ଛିଣ୍ଡି ପଡୁଛି ଉଡିବା ଆଗରୁ ।
ଏସବୁକୁ ଦେଖି
ଈଶ୍ବର ବି ଚାହୁଁନି ମୁକୁଳିବା ପାଇଁ,
ଦେଉଳର ଅଦେଖା ବନ୍ଧନରୁ ।।
ରାଜେଶ କୁମାର ମୁଣ୍ଡ,
ଧର୍ମଗଡ଼ ସାହିତ୍ୟ ସଂସଦ ଧର୍ମଗଡ଼, କଳାହାଣ୍ଡି
0 Comments
You can write now your valuable comments here. Off-topic comments may be removed or deleted without prior notice.