ସମୟର ଜାଲ ଯେବେ ଧରିନିଏ
କାତି ଛଡାଇବାକୁ ପଡେ...
ବକ୍କଳ ଆପେଆପେ ଛାଡିଯାଏ,
ପତ୍ରଝଡ଼ାର ଲଗନ ଆଙ୍କିଦିଏ
ନବ ଉପମାଟିଏ...
ମଖମଲ୍ଲୀ ସ୍ବପ୍ନରେ ବିଭୋରିତ ହେବାପାଇଁ ।
ଏବେ ଖୋଜାଚାଲିଛି ଖୋଳପା...
ସମଗ୍ର ଜୀବ ଜଗତରେ ଅଭାବ
ନିଜ ପାଇଁ ଖୋଳପାଟିଏ ଯୋଗାଡିବାରେ,
କ୍ରୋଦ୍ଧ, ଅଭିମାନ ଧୋକାବାଜୀ
ପ୍ରେମ ଓ ଯୁଦ୍ଧ ପାଇଁ ତ ଜାଗା ଅଛି,
ଲୁହ ଧାର ପାଇଁ ଚିବୁକ ଅଛି,
ହେଲେ ହସିବା ପାଇଁ ନାହିଁ ଜାଗାଟିଏ !
ଏମାନଙ୍କର ବିଶ୍ବାସର କ୍ଷେତ୍ର
ଏତେ ପ୍ରଶସ୍ତ ଯେ...
ଜାଗା ନାହିଁ ଅବିଶ୍ବାସକୁ ସାଇତିବା ପାଇଁ ।
କେମିତି ଜାଣନ୍ତି ଏ ଜୀବମାନେ
ପ୍ରକୃତିର ନିୟମ ଧାରା ?
ଅବ୍ୟବସ୍ଥାରେ ବଞ୍ଚିବାର ବ୍ୟବସ୍ଥା !
କେମିତି ମନେରଖିବା ପାଇଁ
ଜାଗାଟିଏ ରଖିନାହାଁନ୍ତି ?
ଏମାନଙ୍କ ଖୋଳପାର ଜଡାଉ ସଙ୍କୁଚିତ !
ଆବିଷ୍କାରର ଏ ଗୀତିକା କ୍ଷୀଣ ଲଗ୍ନା !
ଏ ଉଦ୍ଭାବନ ଉଦ୍ଭ୍ରାନ୍ତର ମରୀଚିକା,
କାହି କେତେ ଦୂରେ ଶୁଭେ
ଉଦାନର ତାକତରକା ସ୍ବର...
ଖୋଜୁ କାହିଁ ପାଇଁ ଅନ୍ୟର ସାହାରା,
ଅଦ୍ବୀତିୟ ତୋ' ନିଜର ଖୋଳପା ।




ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା