ଦିନେ ସଞ୍ଜ ବେଳେ ଅଜା ନାତି ଦୁହେଁ
ଶୋଇଥିଲେ ବାରଣ୍ଡାରେ
କଥୋପକଥନ ସେମାନଙ୍କ ଥିଲା
ପ୍ରଶ୍ନ ଆଉ ଉତ୍ତରରେ ।
ପଚାରିଲା ନାତି କୁହ ତୁମେ ଆଜା
କାହିଁ ସେହି ପାଣି ପାଗ
ବରଷା ଓ ଖରା ସମୟରେ କାହିଁ
ହେଉଥିଲା ଯାହା ଆଗ ।
କେବେ ଧୋଇ ଏବେ କେବେତ ମରୁଡି
କେବେ ହୁଏ ଅଂଶୁଘାତ
ଚାଷୀ ଭାଇ ଯେତେ ହତାଶ ହୁଅନ୍ତି
ଆସେ ନାନା ପ୍ରତିଘାତ ।
ପୃଥିବୀ ତାତୁଛି ଭୂଇଁ ଯେ ଫାଟୁଛି
ଅଦିନେ ଆସୁଛି ଝଡ
କହିବକି ମୋତେ ବୁଝାଇ ଟିକିଏ
ଥିଲେ କିଛି ପ୍ରତିକାର ।
ଅଜା ତା'ର ତାକୁ ବୁଝାଇ କହିଲେ
ଶୁଣିବୁ ତୁ ମନ ଦେଇ
ସବୁକିଛି ପରା ଘଟୁଛି ଏମିତି
ମଣିଷ ମାନଙ୍କ ପାଇଁ ।
କି ସୁନ୍ଦର ଥିଲା ସବୁଜ ବନାନୀ
ବୃକ୍ଷ ଓ ଲତାରେ ଭରା
ତାହାରି ପ୍ରଭାବେ ହେଉଥିଲା ପରା
ସମୟେ ବରଷା ଖରା ।
ଦିନୁ ଦିନ ଗଛ କଟିଦେଇ ସବୁ
ନିର୍ମାଣିଲେ ବଡ଼ କୋଠା
ଯାତାୟାତ ପାଇଁ ଗଢିଲେ ପୁଣି ସେ
କଂକ୍ରିଟ ସଡ଼କ ମୋଟା ।
ଗାଡି ଓ ମଟର କିଣିଲେ ଅନେକ
ଶବ୍ଦ ପ୍ରଦୂଷଣ ହେଲା
କଳ କାରଖାନାରୁ ନିର୍ଗତ ଧୂଆଁ ବି
ବାୟୁ ପ୍ରଦୂଷିତ କଲା ।
ପରିବେଶ ପୁରା ଦୂଷିତ ହୋଇଲା
କେମିତି ବରଷା ହେବ
ସବୁ ପରା ସମୟେ ହୋଇବ,ଯଦି
ସବୁଜ ବନାନୀ ଥିବ ।




ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର, ଉତ୍ତରକୂଳହାଟ୍, ପ୍ରୀତିପୁର, ଯାଜପୁର