ଉପମାର ତୁମ ତୁଳନା ତ ନାହିଁ
ତେଣୁ ପରା ତୁମେ ଅନୁପମା
ରୂପେ ଅନୁପମା ଗୁଣେ ଅନୁପମା
ଭାଷା ତୁମ ଅନୁପମା,
ଯୁବା ପ୍ରାଣ-ପ୍ରିୟା ବାଣୀଶ୍ରୀ ତନୟା
ଦିଗଦର୍ଶୀ ପ୍ରିୟତମା
କାବ୍ୟ ସୁଚାତୁରୀ ପ୍ରବନ୍ଧ ମାଧୁରୀ
ବାଢି ସମାଜ ଚେତନା,
ଜନମତ ତୋଳି ହିତେ ହୁଅ ଭାଳି
ବାଣ୍ଟୁଥାଅ ସଦ୍ଭାବନା
ନାରୀତ ଜନନୀ, ନାରୀତ ଭଗିନୀ
ନାରୀ ଅଟେ ପୁଣି ଜାୟା,
ନାରୀଙ୍କ ସମ୍ମାନ ଅଧିକାର୍ ପାଇଁ
ଅବତରିଅଛ ଏ କାୟା
ଚେତାଅ ହେବାକୁ ସୁଦୁହିତା ମାତା
ଗୁଣଗ୍ରାହୀ ସୁଗୃହିଣୀ,
ଆଶା ଆଶ୍ବାସନା, ବିଶ୍ବାସ ଭରସା
ନାରୀଙ୍କ ଅନୁରାଗିଣୀ
ଯଉବନ ନୁହେଁ ଉନ୍ମାଦନା ଖାଲି
ଉତ୍ତର ଦାୟିତା କଳ୍ପ,
ଉତ୍ତମ ସମାଜ ଗଢିବା ସମୟ
ଭୂମିକା ନୁହଇ ଅଳ୍ପ
ଯୁବ ସମାଜର ଉଦ୍ଭ୍ରାନ୍ତତା ପାଇଁ
ତୁମେ ହିଁ ତ ଉଦବିଘ୍ନା,
ସନ୍ମାର୍ଗ ଦର୍ଶିକା ଦିବ୍ୟ ପ୍ରଦର୍ଶିକା
ବନ୍ଧୁତାର ବ୍ରତେ ମଗ୍ନା
ନାମ ଅନୁପମା କାମ ଅନୁପମା
ବାଣ୍ଟଗୁଣ ଅନୁପମା
ପ୍ରେୟସୀ ଶ୍ରେୟସି ମୋ ମନ ମାନସୀ
ଭୁଲି ନହୁଅ ଗୋ ଜମା
ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ, ପୋଲସରା, ଗଂଜାମ
ମୋ:୯୦୪୦୩୨୦୧୮୬
