ମହଣେ ମୋହରୁ ମୁକ୍ତି
ଚାଖଣ୍ଡେ ସୁଖକୁ ଚୁକ୍ତି କରି
ଚାଲିଆସିଛି,
ସୀମାହୀନ କୋଳାହଳତାରୁ
ମୌନତାର ମନ୍ଦିରକୁ ।
ଅନ୍ଧାରର ଅଘୋଷିତ
ଏନ୍ତୁଡ଼ିଶାଳରୁ
ଅନିଶ୍ଚିତତାର ଆଲୁଅକୁ
ଅଣଦେଖା କରି,
ଅଫରନ୍ତା ବାଟରେ
ଅବଧୁତଟିଏ ପରି ।।

ମିଥ୍ୟା, ପ୍ରବଂଚନାର ଦୁନିଆରେ
ସ୍ୱାର୍ଥ, ଲୋଭର ଇଲାକାରେ
କେତେ ଯେ ସାଲିସ କରିହେବ,
ସାମାନ୍ୟ ଜୀବନଟେ ଜୀଇଁବାରେ ।।

ଏଠି କେହି ନାହିଁ
ଲକ୍ଷ୍ମଣ, ଯୁଧିଷ୍ଠିର,
ପିତାମହ ଅବା ବିଦୁର ।
ସଭିଏଁ ଗୋଟେ ଗୋଟେ
ଶକୁନି, ଦୁର୍ଯ୍ୟୋଧନ
ଅବା ଧୃତରାଷ୍ଟ୍ର ,
ରାଜନୀତିର ଚଉସାର
ପରସ୍ତ ପରସ୍ତ ଅନ୍ଧକାର ।
ଯା' ଭିତରେ ପଶିବାକୁ
ଯେତେ ସହଜ,
ମୁକୁଳିବାକୁ ସେତେ କଷ୍ଟ ।।