ଅତୀତକୁ ଦିଏ ଡାକି
ବର୍ତ୍ତମାନ ସାଥେ କରିଥାଏ ଭାବ
କେତେ ଛବି ଦିଏ ଆଙ୍କି ।।
ଶୂନ୍ଯ ସରଗରେ ଫୁଟାଏ ସେ ପଦ୍ମ
ଭାସଇ ଗଗନ କୋଳେ
ପୀରତି ନଈରେ ଉଛୁଳାଏ ପ୍ରେମ
ପହଞ୍ଚେ ଶିଖର ଚୂଳେ ।।
କେବେ ଆଙ୍କିଦିଏ ମନୋଲିସା ଚିତ୍ର
ଭାବନାର ତୁଳି ନେଇ
କେବେ ବିଛାଏ ସେ ଗୋଲାପର ଶେଯ
ପ୍ରୀତି ଅଭିସାର ଚାହିଁ ।।
ବିନା ଆକାଶରେ ଦେଖେ ଇନ୍ଦ୍ରଧନୁ
ସାତ ରଙ୍ଗ କାଳିମାରେ
ଶୂନ୍ଯ ଚାନ୍ଦିନୀରେ ବିଛାଏ ଜୋଛନା
ପ୍ରେମିକାର ଅନ୍ତପୁରେ ।।
ବାସ୍ତବ ଘଟଣା ପ୍ରଷ୍ପୁଟିତ କରେ
ଲେଖନୀ ଧାରେ ସୁଚାଇ
ଦୁର୍ନୀତି ବିପକ୍ଷେ ସଦା ଧାଇଁଥାଏ
ସତ୍ଯ ର କାହାଣୀ ଗାଇ ।।
କେବେ ହଜିଯାଏ ଭାବନା ରାଇଜେ
କେବେ ହଜେ ପ୍ରିୟା ପ୍ରେମେ
ପ୍ରକୃତ ଛବିକୁ ଉଦ୍ଜୀବିତ କରେ
ଭଲ ପାଇବା କଲମେ ।।
ଶିଳାରେ ହସାଏ କୋଟି କୁସୁମକୁ
ଜୀବନ୍ତ କରଇ ଚିତ୍ର
ଭବ୍ଯ କୋଣାର୍କର ଦେଖେ ପ୍ରତି ଛବି
ବର୍ଣ୍ଣନା ତାର ବୈଚିତ୍ର ।।
ସମାଜକୁ ସିଏ ବାଢି ଦିଏ ବାର୍ତ୍ତା
ସଚେତନତାର ସ୍ଵରେ
ନିତି ଭାସୁଥାଏ ଭାବ ସମୁଦ୍ରରେ
ସରସ୍ଵତୀଙ୍କ କୃପାରେ ।।
ଭାବିବସେ କବେ ବସନ୍ତକୁ ଦେଖି
ବଉଳର ମଧୁଝରେ
ଫଗୁଣର ବାସେ ଲେଖଇ କବିତା
ସାତ ରଙ୍ଗ କାହାଣୀରେ ।।
କବିର ହୃଦୟ ଅଟଇ ନିର୍ମଳ
କବିର ସୃଷ୍ଟି ନିଆରା
ସ୍ମୃତିରେ ତାହାର ଅନେକ ଉପମା
କାବ୍ୟ କବିତାରେ ଭରା ।।
ସାରସ୍ବତ ମେଳେ ହୁଅଇ ଆନନ୍ଦ
ସାଉଁଟଇ ଅନୁଭୂତି
ଆଜିଭଳି ଏହି ସାହିତ୍ୟ ଆସର
ମୋ ଜୀବନର ଏକ ସ୍ମୃତି ।।
ଧ୍ରୁବ ଚରଣ ବେହେରା, ଅଠରବାଟିଆ, ବାଲୁଗାଁ
