ପୁଣ୍ୟପର୍ବା ମୋର ଓଡ଼ିଶା ରାଇଜ
କଳା କୀର୍ତ୍ତି ଭରପୁର,
ମୋ ଭାଷାଵିନ୍ୟାସ ଗଦ୍ୟ ପଦ୍ୟ ଧାରେ
ଅତି ମନ-ମୁଗ୍ଧକର,,।।

ଛୁଇଁଲେ ଅଧର ଲାଗଇ ମଧୁର
ଏତେ ମିଠା ମୋର ଭାଷା,
ଓଡିଆ ପ୍ରାଣର ଅମୁଲ୍ୟ ସମ୍ପଦ
ବଞ୍ଚିବାର ଏକ ଆଶା,,।।



କେତେ ମହାକବି ରଖି ଯାଇଛନ୍ତି
କବିତାରେ ନିଜ ଯଶ,
ଲେଖନୀ ମୂନରେ ଦେଇଯାଇଛନ୍ତି
ଓଡିଆଙ୍କ ଓଠେ ହସ,,।।

ପଖାଳ ଭାତରେ ପେଟ ପୁରିଯାଏ
ସାଥେ ଥିଲେ ବଢିଚୁରା,
ବାଇଗଣ ପୋଡା ଶାଗଖରିଡାର
ସୁଆଦ ଭାରି ନିଆରା,,।।



କେତେ ଦେଶପ୍ରେମୀ ବୀର ଓ ସଂଗ୍ରାମୀ
ନେଇଛନ୍ତି ଏଠି ଜନ୍ମ,
ମାଟି ମାଆ ପାଇଁ ଦେଇଛନ୍ତି ମଧ୍ୟ
ଅମୂଲ୍ୟ ନିଜ ଜୀବନ,,।।

ଓଡିଶା ବିଖ୍ୟାତ କାରୁକାର୍ଯ୍ୟ ପାଇଁ
ମନ୍ଦିରମାଳିନୀ ସାକ୍ଷୀ,
ଅତିତର ଗାଥା ଖୋଦିତ ଚିତ୍ରରେ
ମନେ ଦିଏ ରଙ୍ଗ ମାଖି,,।।



କୁଳୁକୁଳୁ ନାଦେ ବହି ଯାଉଥାଏ
ଗାଆଁରୁ ସହରେ ନଦୀ,
ସବୁଜ ବନରେ ହସେ ମାଟି ମାଆ
ସୁନ୍ଦର ଲାଗେ ତା' ଛବି,,।।




ଜିତେନ୍ଦ୍ର ସାହୁ
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ