*ଝୁଣି ବିଦାରି ବଞ୍ଚିବାକୁ ଶିଖାଅନି !*
ପାରିବ ତ କହିଦିଅ ପଦେ
ପ୍ରୟାସର ଅଧା ରାସ୍ତାରେ ଭେଟ ହେବ
ଭିନ୍ନ ଦୃଷ୍ଟି ଆଉ କିଛି ଆଈ ମା' ର
କାହାଣୀ ପେଡି ଧରି ...
ପାରିବକି ବିଘାତର ଧୂଳି ଝାଡି
ଧୈର୍ଯ୍ୟର ପଣତକାନିରେ....
ହସଟିକେ ଫୁଟାଇବକି
ତୁମରି ଓଠରେ.......
*ଦେଖି ମୋର କେଉଁ ନୂଆ ବିବର୍ଣ୍ଣ ମୁହଁକୁ............!*
*ନାଭିନାଡି କାଟିଲାବେଳେ କରିଲନି ଘୋଷଣା....*
ମହାଭାରତର ଅନ୍ତିମ ଶର ସନ୍ଧିବା
ଆଗରୁ ବୃହନ୍ନଳା ହେବାକୁ...!
ଶୂନ୍ୟ ପ୍ରତିଶ୍ରୁତି ଦେଇ ମହିମାମଣ୍ଡିତ
କରାଇନ କି ପ୍ରତିପାହୁଣ୍ଡର କୁରୁସଭାରେ...!
କରିନ କି ପ୍ରତିପ୍ରହାର
*ସୂତପୁତ୍ରରୁ କୌନ୍ତେୟର ପରିଚୟ*
*ଦେବାକୁ...................!*
କେତେଥର ମରାମତି କରିବି
ଏ ଅରଣ୍ୟ ଯୋଗପରେ
ସମ୍ପର୍କର ସେତୁବନ୍ଧକୁ ...!
ହଁ....ହଁ....ଦେଇଛ ସବୁକିଛି ପୋଡି
*ପାଉଁଶ କରିବାକୁ.........!*
ସ୍ବାର୍ଥର ଘୃତଟିକେ ଆଉ
ଅହଂକାରର ଯଷ୍ଟିଟିଏ ......
ଅନେକ ନିକୁମ୍ଭିଲା
*ବଟମୂଳ ସାକ୍ଷୀ ରହିବାକୁ....!*
କହିବ କି ଜୀବନ ! କିଏ ସେ ଆସିବ
ମୋ ନୀରବତାର ଉପତ୍ୟକାରେ
*ଅଙ୍ଗଦର ପାଦ ଥାପିବାକୁ .....!*



ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା