ପାଦ ଚିପି ଚିପି ବେଦୀକୁ ଆସଇ
ମନ ଖୋଲିଦେଇ ବଧୂ,
ପ୍ରତୀକ୍ଷାର ଅନ୍ତ ସରିଯାଏ ବୋଲି
ତନୁ ଝରେ ପ୍ରେମ ମଧୁ ॥

ଉପମା ମନ୍ଦିରେ ବଧୂ ବେଶ ସାଜି
ସାଜିଅଛି କାମଦୀପ୍ତା,
ଅଳକା ପୁରୀର ସତେ ରାଜଜେମା
ମନଲୋଭା ଅପରୂପା ॥



ସାହାନାଇ ସ୍ୱରେ ମଦିରା ଭରଇ
ଯୈାବନ ଉଈ ହୁଂକାରେ,
ଶ୍ଳୋକେ ଶିହରଇ କାମନା ଜୁଆର
ହାତ ପରଶ ନିଆଁରେ ॥

ହାତଗଣ୍ଠି ନୁହେଁ ବନ୍ଧନ ସୂତ୍ର ସେ
ବିଧାତା ଦରବାରରେ,
ବିବାହ ବନ୍ଧନ ବହନର ସୂତ୍ର
ଲେଖା ଆର୍ଯ୍ୟ ଚଳନୀରେ ॥



ହରାଇ ଦେଇଣ ବାଲିଘର ଖେଳ
ଗ୍ରାମଦାଣ୍ତ ବାଲୁକାରେ,
ହଜିଯିବ ସିଏ ଅଜଣା ରାଇଜେ
ଅଜଣା ବଂଶ ବଳୟେ ॥

ତୋଳିବ ସେ ଯାଇ ନୂଆ ନୀଡଟିଏ
ସହି କେତେ ଝଡଝଂଜା,
ଆବୋରି ନେଇଣ ଅସହ୍ୟ ବେଦନା
ପାଳିବ ବନ୍ଧୁ ପରଜା ॥



କନ୍ୟାରତ୍ନ ସିଏ ସଭିଏଁ ଜାଣି ବି
ମାୟାମୋହ ମଦ ମାଂସେ,
ଅବିଚାରେ ତାର କୁଯଶ ଗାଇଣ
ଦଣ୍ତିଥାଉ ଅପଯଶେ ॥

ନିଜର କନ୍ୟା ଯେ ଅନ୍ୟ ଘରେ ବଧୂ
ଏହା ଚିରନ୍ତନ ସତ୍ୟ,
ଭୂଲିଯାଉ ଆମେ ମାୟା ବନ୍ଧନରେ
ଅହଂ ବଶେ ନିତ୍ୟ ନିତ୍ୟ ॥



ବଧୂକୁ ମଣିଲେ ନିଜର କନିଆଁ
ଘର ହୋଇବ ବୈକୁଣ୍ଠ ,
କନ୍ୟାକୁ ମଣିଲେ ନିଜ ପୁତ୍ର ବଧୂ
ଚାଲିବ ସଂସାର ରଥ ॥




ଗୈାରାଙ୍ଗ ଚରଣ ବେଉରା, ଶିକ୍ଷକ,
କୁଲିଆମାଲ ଉଚ୍ଚ ଵିଦ୍ୟାଳୟ, କୁଲିଆମାଲ