ଦୋହଲି ଦୋହଲି ଭକତ ଗହଣେ
ନନ୍ଦିଘୋଷ ରଥେ ଆସୁ,
ସତେକି ସାଗର ଉର୍ମିମାଳା ଶୋଭା
ଘୋଷଯାତେ ପରକାଶୁ ॥

ତୁଉ ଦୋହଲିଲେ ଭକତ ଦୋହଲେ
ଦୋହଲେ ତୋହରି ନାମ,
ନୀଳିମା ଦୋହଲେ ଭକତ ଡାକରେ
ଦୋହଲେ ଶ୍ରୀକ୍ଷେତ୍ର ଧାମ ॥



ମୁଣ୍ତମାଳ ଶୋଭା ଯେସନେ ବାଦଲ
ଅମ୍ବର ବକ୍ଷେ ଭାସଇ,
ଘଣ୍ଟ କରତାଳ ଘଡଘଡି ଶବ୍ଦ
ବଡଦାଣ୍ତ ଦୁଲୁକଇ ॥

ଭକତର ହାତ ସତେ କି ଚାମର
ଯେସନେ ଦୋହଲୁ ଥାଏ,
ନାଚଗୀତ ଶୋଭା ଦେବଦାସୀ ନୃତ୍ୟେ
ଝୁମୁଇ କାଳିଆ ମୋହେ ॥



ସୁଗନ୍ଧ ସୁମନ ବାସନା ବଳୟେ
ବଡଦାଣ୍ତ ଫାଟୁଥାଏ,
ମଣିମା ମଣିମା ଡାକରେ କାଳିଆ
ହସି ହସି ଗଡୁଥାଏ ॥

ଶୁଭ ପଂଚଜନ୍ୟେ ଆଶୀର୍ବାଦ ଢାଳି
ଯାଉଥାଏ ବନମାଳୀ,
ପାପ ଶୋକ ରୋଗ ବହିନେଇ ସିଏ
କରୁଣା ବରଷୁ ଥାଇ ॥






ଗୈାରାଙ୍ଗ ଚରଣ ବେଉରା, ଶିକ୍ଷକ,
କୁଲିଆମାଲ ଉଚ୍ଚ ଵିଦ୍ୟାଳୟ, କୁଲିଆମାଲ