ଆଜି ଏ ନିର୍ଜନ ବେଳାରେ
ଶୁଭେ କା' ରୁଣୁଝୁଣୁ ।
କିଏ ଡାକୁଛି କି ମୋ ନାଁ ଧରି,
ବସିଛି କି କିଏ
ମୋ ଅପେକ୍ଷାରେ ।

ଛାଇଟିଏ ଲମ୍ବି ଆସିଛି
ଘର ଅଗଣାକୁ,
ମହମହ ବାସୁଛି ।
ଲାଗୁଛି
କେଉଁ ଅନ୍ଧାର ଗହ୍ୱରରୁ
ଶୁଭୁଛି କା' ଅନୁଚ୍ଚାରିତ ଶବ୍ଦ ।
ହୃଦୟରେ କିନ୍ତୁ
କ୍ଷୁଧାର କ୍ଷୋଭ,
ତୃଷାର୍ତ୍ତ ଓଠ
ଛଳଛଳ ଆଖି,
ହତାଶାର ଛାଇ ମନରେ ।
ତଥାପି ଦୁଆର ଫିଟାଇଲି,
କେହି ତ ନଥିଲେ
ଖାଲି ଥିଲା
ମୁରୁଝାଇ ପଡ଼ିଥିବା
ମଲ୍ଲିମାଳଟେ,
ସରୁ ସରୁ ପାଦଚିହ୍ନ କେଇଟା
ଆଉ ଅଖଣ୍ଡ ନିର୍ଜନତା ।।