ଛାଇ ଆଲୁଅର ଖେଳ
ଅଙ୍କା ବଙ୍କା ଏହି ସମୟର ପଥେ
ସରିଯିବ ଦିନେ ବେଳ ।।
ଆସିଛେ ସଂସାରେ ଦୁଇ ଦିନ ପାଇଁ
ଯିବାଦିନେ ଶୂନ୍ଯ ହୋଇ
କେହି କହା ସାଥେ ଯିବେନାହିଁ ବନ୍ଧୁ
କ୍ଷଣିକେ ଜଳିବ ଜୁଇ ।।
ରାଗ ଅହଂଙ୍କର ପାଶୋରିବା ମନୁ
ହୃଦୟେ ବହିବା ପ୍ରେମ
ଆନ୍ତରିକତାର ଶାନ୍ତିର ମଶାଲ
ଜଳାଇ ହେବା ସକ୍ଷମ ।।
କାହା ଦୁଃଖେ ଯଦି ନ ହୋଇବା ଦୁଃଖୀ
ସୁଖେ କାହିଁ ସମଭାଗି
ସ୍ରଷ୍ଟାର ସୃଷ୍ଟିକୁ ନିନ୍ଦା କରୁଥିଲେ
ହୋଇଯିବ ଦିନେ ଦାଗୀ ।।
ରାମ ନାମ ଗାଇ ଉପର ମୁହଁରେ
ରଖିଲେ କପଟି ଭାବ
ବିଭୂ ତୁଲେ କଲେ ମିଛ ପ୍ରଲୋଭନ
ବୁଡିବ ଗହିରେ ନାବ ।।
ହେବ ସର୍ବହରା ନ ପାଇ ସାହାରା
ଚାଲିଯିବ ଆତ୍ମା ଛାଡି
ପଡିଯିବ ତଳେ ଶୋକର ସାଗରେ
ଦୁନିଆଁ କରିବେ ରଡି ।।
ଆଗକୁ ଯିବାର ଜାଣିଛ କି ନାହିଁ
ଗୋଡ ଭିଡ ପଛେ ରହି
ନିଜକୁ ପଚାର କେତେ ସାଧୁତୁମେ
ଦେଖୁଛନ୍ତି ଭାବଗ୍ରାହୀ ।।
ତେଜି ଅଭିମାନ ଭାଇଚାରା ନେଇ
ବଞ୍ଚିଲେ ଏହି ଧରାରେ
କିର୍ତ୍ତୀ ଯଶଗାନ କରିବ ଦୁନିଆଁ
ଆଖିବୁଜି ଦେଲାପରେ ।।
ଧ୍ରୁବ ଚରଣ ବେହେରା, ଅଠରବାଟିଆ, ବାଲୁଗାଁ, ଖୋରଧା
