ପୂର୍ବବର୍ତ୍ତୀ ଭାଗ



ଘର ବୋଇଲେ ଦୁଇ ବଖରା ନୁଆଣିଆ ଚାଳଛପର ଘର । ପିଙ୍କୁ ବୋଉର ହାତର ପରଶରେ ପିଣ୍ଢାରୁ ବାରି ଯାଏଁ କୁଟା ଖଣ୍ଡେ ବି ଦେଖିବାକୁ ମିଳେନି ।କାଲିଠାରୁ ପିଙ୍କୁ ବୋଉ କତରା ଧରିଛି ଯେ ଆଜି ଦିନ ଦିପହର ହେଲାଣି ଉଠିନି । ପିଙ୍କୁଟା ମା'କୁ କହି ବସ୍ତାନୀ ଧରି ବିଦ୍ୟାଳୟକୁ ଯାଇଛି ।ବିଚାରି କ'ଣ ଗଣ୍ଡେ ଖାଇବା ଆଶାରେ ଯାଇଛି ।ସକାଳୁ ସକାଳୁ ପବିନ ସାଥିରେ ଖେଳୁଥିଲାବେଳେ କଥା ହେଇଦୁହେଁ ଯାଇଛନ୍ତି ।"ପିଙ୍କୁ ବୋଉ ...ପିଙ୍କୁ ବୋଉ..."କହି ଦାଣ୍ଡ ଦୁଆରୁ ହୁରି ପକାଇଲା ପବିନ୍ ବୋଉ ।ଘରେ ସୋର ଶବଦ ନାହିଁ ।ଅସ୍ବାଭାବିକ ନିର୍ଜନତା ପରିବେଶକୁ କରୁଣତାର ଚାଦରଟିଏ ଘୋଡେଇ ଦେଲାଭଳି ଲାଗୁଥାଏ! ଅସଂଖ୍ୟ ପାରା ଅଗଣା ପିଣ୍ଢାଠୁଁ ନେଇ ଘର ଭିତରେ ବି ମୌନ ହୋଇ ବସିଥିଲେ ।ପିଙ୍କୁର ଗେହ୍ଲା ବିଲେଇଟି ଏରୁଣ୍ଡିବନ୍ଧ ଉପରେ ମୌନ ହୋଇ ବସିଥାଏ ।ପାରାମାନଙ୍କ ଆଡକୁ ତା'ର ଟିକେ ବି ଧ୍ୟାନ ନଥାଏ ।ସତେ ଯେମିତି ସମସ୍ତେ କିଛି ଗୋଟେ ଅଘଟଣର ମୂକସାକ୍ଷୀ ହୋଇ ବସିଛନ୍ତି !ପବିନ୍ ବୋଉ ମନେମନେ ଡରିଯାଥିଲା ।ସାହସ ସଞ୍ଚୟ କରି ଅଧା ଆଉଜା କବାଟଟିକୁ ଖୋଲି ଭିତରକୁ ଗଲା ।"ଅପା ...ଅପା ..." ,କିଛି ଉତ୍ତର ନାହିଁ ।ଘରଟାରେ ଆଲୁଅ ବି ନଥିଲା ।ସେଇ ଅନ୍ଧାରୁଆ ଘରେ ପିଙ୍କୁ ବୋଉ ଶୋଇଥିବାର ଝାପସା ଝାପସା ଦେଖାଗଲା ।ପବିନ୍ ବୋଉ ଅପା କହି ଦେହକୁ ହଲେଇ ଦେଲା ।ଏ କ'ଣ ! ପିଙ୍କୁ ବୋଉ ତ ନିଶ୍ଚଳ !ହାଉଳି ଖାଇ ପବିନ୍ ବୋଉ ଗାଁ ଦାଣ୍ଡରେ ଠିଆ ।ହୁରିପକାଇଲା --ପିଙ୍କୁ ବୋଉ ଚାଲିଗଲା ।ସାଇ ପଡିଶାର ସ୍ତ୍ରୀମାନେ ଜମା ହେଲେ ।ପବିନ୍ ବାପା ଧାଇଁ ଆସି ପିଙ୍କୁ ବୋଉର ନାଡି ଚିପି ପରୀକ୍ଷା କଲେ ।ପବିନ୍ ବୋଉ କାନରେ କ'ଣ ଫିସ୍ ଫିସ୍ କରି କହି ଅଟୋ ଆଣିବାକୁ ଗଲେ ।



ପବିନ୍ ବୋଉ ଦେଖିଲା ପିଙ୍କୁ ନୀରବରେ ସ୍କୁଲ ପାହାଚ ଉପରେ ବସିଛି ।ପବିନ୍ ଟା କ'ଣ କହିଚାଲିଛି ।ସେଥିରେ ପିଙ୍କୁର ଧ୍ୟାନଥିଲାଭଳି ଲାଗୁନି ।ପବିନ୍ ବୋଉ ପିଙ୍କୁ ପାଖକୁ ଯାଇ ମୁଣ୍ଡ ସାଉଁଳି ଦେଲେ ।ମନର କୋହକୁ ଚାପିରଖି ପଚାରିଲେ ---ତୁମେସବୁ ଖାଇଲଣି ।ପବିନ୍ କହିଲା, "ନାଇଁ ବୋଉ ପିଙ୍କୁ କଛି ଖାଇଲାନି ।କିଛି କଥା ହେଉନି ।" 'ମୋ ଧନଟା ଭଲ ପିଲା ।"ଏଇ ନଉନୁ କହି ପବିନ୍ ବୋଉ ଦୁଇଟା ଚକୋଲେଟ ଓ ବିସ୍କୁଟ୍ ପ୍ୟାକେଟଟିଏ ଦେଲେ ।ପବିନ୍ କୁ କହିଲେ ସ୍କୁଲ ଛୁଟି ହେଲେ ଦୁହେଁ ତାଙ୍କ ଘରକୁ ସିଧାଯିବେ ।ସେ ଆଜି ଚଉମିନ୍ କରି ରଖିଥିବେ ।ପବିନ୍ ବୋଉ ତରତର ହୋଇ ଯିବାକୁ ବାହାରିଲେ ।ହେଲେ ଅଟକି ଗଲେ ,କିଏ ତାଙ୍କ ପଣତ କାନି ଟାଣି ଧରିଛି ! ପଛକୁ ବୁଲିପଡି ଦେଖିଲେ ଆଉ କେହି ନୁହଁ ...ପିଙ୍କୁ ! ପବିନ୍ ବୋଉ ଆଖିର ଲୁହକୁ ଆଉ ଚାପି ରଖିପାରିଲେ ନାହିଁ... । କ୍ରମଶଃ ଆଗକୁ ପଢନ୍ତୁ






ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା