କୁସୁପଙ୍ଗି, ବାଙ୍କୀ, କଟକ
ସମୟ ବଦଳେ
ବଦଳେ ସମ୍ପର୍କର ସ୍ୱର
ହେଲେ ଥମେନାହିଁ କେବେ
ଦି ମୁଠା ଭାତ ପାଇଁ
ଜୀବନର ଏ ମହାସମର ।
ମୁଠାଏ ଆହାର ପାଇଁ
କିଏ ଏଠି ଅଭିନୟ କରେ
ମୁଁହରେ
ଛଳନାର ପାଉଡର ବୋଳି
କିଏ ପୁଣି ନିଜ ଦେହକୁ
ଦଂଶିତ କରାଏ
କବାଟ କିଳି ।
ପେଟ ପାଇଁ କେତେ କେତେ
ଚନ୍ଦ୍ରା ବେହେରାଣୀ
ହୃଦୟରେ ତାଲା ପକେଇ
ଜଳିଯାନ୍ତି
ଯୋନିର ଜତୁଗୃହରେ,
ସଂଗ୍ରାମ ଚାଲିଥାଏ ଅହରହ
ପେଟ ପାଇଁ
ମଣିଷ ଭୁଲିଯାଏ
ମଣିଷପଣିଆ
କେବେ କିଏ ବିକ୍ରୀହୋଇଯାଏ
ବିଚ ବଜାରରେ
ଆଉ କିଏ ଅନନ୍ତ ଅନ୍ତ୍ରଦାହର
ଶିକାର ହୋଇ ଜଳୁଥାଏ
ଚିରଦିନ ନିଜ ଅଭ୍ୟନ୍ତରେ ।
