ଉଛୁଳି ଉଠିଲା ହର୍ଷମୁଖୀ ଗଙ୍ଗା 
ଆଷାଢ଼ର ପୂର୍ଣ୍ଣିମାରେ
ଆବିର୍ଭାବ ହେଲେ କୃଷ୍ନଦୀପେ ଗୁରୁ
ଜୋଛନାର ପାରାବାରେ।୧।

ଧନ୍ୟ ମତ୍ସ୍ୟଗନ୍ଧା ମାତା ସତ୍ୟବତୀ
ଜନ୍ମଦେଇ ଦିବ୍ୟସୂତ
ଭାରତ ଆକାଶେ ଚନ୍ଦ୍ରମା ଖଚିଲ
ତମସା କଲ ନିପାତ।୨।

ଧନ୍ୟ ପରାସର ନିଷ୍ଠ ଶିଷ୍ଟ ସାଧୁ
ଗଢିଲ ସିଞ୍ଚି ସଂସ୍କାର
ଆଚରଣେ ସିଦ୍ଧ ଆଚାର୍ଯ୍ୟ ସଜାଇ
ପୋଛିଲ ଅଜ୍ଞାନ ନୀର।୩।

ସାଧନା କାଳିରେ ସଭ୍ୟତା କାଗଜେ 
ଲେଖିଲ ଧ୍ୱନି ଓଁକାର
ଝଙ୍କୃତ ହେଲା ଜ୍ଞାନ ଦୀପ୍ତ ଧାତୁ
ଚେତନାର ମଳୟର।୪।

ବେଦ ଅଟେ ଧର୍ମ, ପୁଣ୍ୟ- ଜ୍ଞାନ- ମନ୍ତ୍ର
ତନ୍ତ୍ର- ତତ୍ତ୍ୱ ସରୋବର
ଚାରିବେଦ ସୂତ୍ରେ କଷିଲ ଗଣିତ
ସମାଧାନ ଜୀବନର।୫।

ଗୁରୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ସ୍ୱରେ
କୁହୁକି ଯାଦୁ ଅରପି
 ଆର୍ଯ୍ୟାବର୍ତ୍ତେ ହେଲ ପ୍ରଥମ ବିଦ୍ୱାନ
ବିନୟ ଭକ୍ତି ସମର୍ପି।୬।

ଅମୃତ ବଚନେ ମାର୍ଗ ଦର୍ଶାଇଲ
ରଚିଲ ମହାଭାରତ
ଶିଖାଇଲ ଗୁରୁ ପିତା ମାତା ଶ୍ରେଷ୍ଠ
"ପ୍ରଣମେ ତାଙ୍କୁ ଜଗତ"।୭।

ହଳଦୀ ନାଲିର ସଂଗମେ ଗଢିଲ
ଗେରୁଆ ବର୍ଣ୍ଣର ଧ୍ବଜା
ବ୍ରହ୍ମ ଶକ୍ତି ସଞ୍ଚି ସଂସାର ଶରୀରେ
ବଜାଇଲ ଜୟ ଧ୍ବଜା।୮।

ବେଦସ୍ରଷ୍ଟା ଆହେ ମୁନୀ ବେଦବ୍ୟାସ
ବ୍ୟାସଦେବ ଶ୍ରେଷ୍ଠ ଗୁରୁ
ସଂସ୍କୃତି ଐତିହ୍ୟ ପରମ୍ପରା ସ୍ମରି
ବିଶ୍ୱ କୋହେ ସଦା ଝୁରୁ।୯।

ଆସ ହେ ଭାରତ ମାଟିର ଦାୟାଦ
ପୁଷ୍ପ,ଧୂପ,ଦୀପ ଧରି
ଗୁରୁପୂର୍ଣ୍ଣିମାରେ ପୁଜିବା ଗୁରୁଙ୍କୁ
(ଦେଇ )ଭକ୍ତି ପ୍ରେମ ପୁଷ୍ପାଞ୍ଜଳି।।୧୦।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର