ଛତ୍ରଗଡ, ବାଲୁଗାଁ, ଖୋର୍ଦ୍ଧା
ଛଟକ ତୋହର ଅତି ମନୋହର
ଧରା ହସି ଉଠେ ଦେଖି,
ହୃଦୟ ବିଭୋର ପାଇ ସଙ୍ଗ ତୋ'ର
ଛନଛନ ଦୁଇ ଆଖି ।
କୋମଳ ତନୂରେ ମଳୟ ସାଥିରେ
ଝୁଲୁ ଥାଉ ରହିରହି,
ରୂପ ରଙ୍ଗ ତୋ'ର ମନଜିଣା ସୂର
ନେଇଛି ମନକୁ ମୋହି ।
ଜୀବନ ଚନ୍ଦନ ହୃଦୟର ଧନ
ତୋ' ବିନା ସବୁ ନିରଙ୍ଗ,
ସପନ ବଣିକ ଭାବନା ଝଲକ
ଧନ୍ୟ ହେଲି ପାଇ ସଙ୍ଗ ।
ଆରେ ବାପଧନ ଶୁଣ ଦେଇ ମନ
ଯଶସ୍ବୀ ହେବୁ ଧରାରେ,
ଶରଧାରେ ଭକ୍ତି ବିଭୂପାଦେ ମତି
ରଖିଥିବୁ ନିରନ୍ତରେ ।
ଜାଣିଲେ ଜିଣିବୁ ଅମର ହୋଇବୁ
ଧରତୀ ହେବ ସରଗ,
ଅଜଣା ପଣ୍ତିତ ବାଣୀରେ ଆସକ୍ତ
ଦେବ ନିଶ୍ଚେ ପରାଭବ ।
ଭିନ୍ନଭିନ୍ନ ଚିତ୍ତ ନୁହେଁ ଅନାବୃତ
ବିଶ୍ବାସ ରଖିବୁ ନାହିଁ,
ବିଦେଶ ମାଟିରେ ନଦୀ ଧାରେଧାରେ
ଚାଲୁଥିବୁ ଖଗେ ଚାହିଁ ।
ଧନ ଅରଜିବୁ ଧର୍ମ ବାଣ୍ଟୁଥିବୁ
ସଖାମେଳେ ସଦା ରହି,
ପରିଜନେ ବ୍ୟଥା ନ ରଖିବୁ ମଥା
ନବ କିଶଳୟ ଦେହୀ ।
