କେଳୁଆପଲ୍ଲୀ, ଗଞ୍ଜାମ
ଅବର୍ଣ୍ଣନୀୟ ତା ଚାରୁ ଚିତ୍ରକଳ୍ପ
ଅଭୁଲା ଅତୀତ ଗାଥା
କାହିଁ କେତେ ଦିନୁ ଓଡିଶା ପାଇଁ ତ
ନୁଆଇଁ ଦେଇଛି ମଥା ।।
ଜଗେଇ ଦେଇଛି ଓଡିଶାବାସୀଙ୍କ
ମନରେ ଅନେକ ଆଶା
ଦରଦୀ ମନରେ ହସ ଫୁଟାଇଛି
ହୋଇଛି ସାହା ଭରସା ।।
ସୁଦୂର ପ୍ରସାରୀ କୁହେଳିକା ପରି
ଛୁଇଁଛି ଗଗନ ଚୁଳ
ଉର୍ମି ସାଥେ ନିତି ଖେଳୁଥାଏ ବସି
ନୁହେଁ ତା’ର ଆଦି ମୂଳ ।।
ପ୍ରବାସୀ ବିହଙ୍ଗ ସାଜି ସାତରଙ୍ଗ
ଆସନ୍ତେ ବିଭୋର ହୋଇ
ବିଶାଳ ହୃଦୟ ଜଳରାଶି ତା’ର
ସରାଗେ କୋଳ କରଇ ।।
ରାଜ୍ୟ ଅର୍ଥନୀତି ସଜାଡି ଦେଉଛି
ନିସ୍ଵାର୍ଥ ମନରେ ତା’ର
ତଥାପି ଆଜି ଏ ସ୍ଵାର୍ଥ ସମାଜଟା
ତା ପାଇଁ ଅମା ଅନ୍ଧାର ।।
କଳଙ୍କିତ ଆଜି ଚିଲିକା ସାଜିଛି
କଳଙ୍କ ସମାଜ ପାଇଁ
ବିଲୁପ୍ତ ଦୁଆରେ ପଚାରୁଛି ଆଜି
ଉଧାରିବ କେବେ ସାଇଁ ।।
ହଜିଲାଣି ତା’ର ଚିର ଶୋଭା ସେଇ
ସବୁଜ ବନାନୀ କୂଳ
ଆଉକିଛି ଦିନେ ଲୋପ ପାଇଯିବ
ଆସି ଗଲାଣି ସେ ବେଳ ।।
ବଙ୍ଗୋପ ସାଗର କୂଳେ ତା ନଅର
ଭଗ୍ନ ଭାଗିରଥୀ ସାଜି
କାହାକୁ କହିବ ନିଜ ମନକଥା
ପାରୁନାହିଁ କିଛି ବୁଝି ।।
