ମାହାଙ୍ଗା, କଟକ
ଘନ କୁହୁଡିର ଚାଦର ଖେଳାଇ
ସପନ ଖେଳୁଛି ଦୋଳି,
ସ୍ମତିର ପାଖୁଡା ଅସ୍ତରଙ୍ଗ ସାଜି
ଭାବନାକୁ ହୁଏ ବୋଳି ॥
ବିରହି ଜୋଛନା ବାଧାବିଘ୍ନ ଟାଳି
ନୁଆଁଏ କଳ୍ପନା ମଞ୍ଜି,
ଦୀର୍ଘଶ୍ବାସ ହୁଏ ଆର୍ତ୍ତର ବିଳାପ
ଅଶ୍ରୁ ଯାଏ ଓଠେ ହଜି ॥
ଅନ୍ତହୀନ ହୁଏ ହୃଦୟ ବେଦନା
ଅସରା ମେଘର ବ୍ୟଥା,
ଉଦଭାଷିତ ହୁଏ ହୃଦୟ ଗଗନେ
ମିଥ୍ୟା ପ୍ରତିଶୃତି ଗାଥା ॥
ସୁଖର କିନାରା ଧୂସର ପାହାଡେ
କଳ୍ପନାର ମାୟାବୁଣେ,
ସ୍ମତି କୁସୁମକୁ ଯେତେ ସାଉଁଟିଲେ
ଛଳନାର ବାର୍ତ୍ତା ଶୁଣେ ॥
ଝାପ୍ସା ଝାପ୍ସା ହୁଏ ଚକ୍ଷୁର ବଳୟ
କ୍ଷତାକ୍ତ ଫଗୁଣ ବାଜି,
କାକର ବିନ୍ଦୁର ଅସଂଖ୍ୟ ବର୍ଷଣ
ବେଦନାକୁ ଦିଏ ମାଜି ॥
ମନ୍ଦ ମଳୟର କଟାକ୍ଷ ଚାହାଣୀ
ନିଦ୍ରାହୀନ କରି ଗ୍ରାସେ,
କର୍ତ୍ତବ୍ୟ ବଳୟ ଜରାଜୀର୍ଣ୍ଣ କରି
ମନ୍ଦ ନୟନରେ ହସେ ॥
0 Comments
You can write now your valuable comments here. Off-topic comments may be removed or deleted without prior notice.