ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର, ଉତ୍ତରକୂଳ ହାଟ,
ପ୍ରୀତିପୁର, ଯାଜପୁର

ପ୍ରେମ ହେଉଛି ବିଶ୍ୱାସ ଓ ଭଲପାଇବାର ଏକ ଶକ୍ତ ପ୍ରାଚୀର । ଏହି ବିଶ୍ୱାସକୁ ନେଇ ଗଢା ହୋଇଥାଏ ପ୍ରେମର ମନ୍ଦିର । ସେମିତି ନିଜର ବିଶ୍ୱାସ ଓ ଭଲପାଇବାକୁ ନେଇ ପପୁ ଓ ରିତା ଗଢ଼ିଥିଲେ ପ୍ରେମର ଏକ ତାଜମହଲ । ପପୁ ହୃଦୟ ଦେଇ ଭଲ ପାଉଥିଲା ରିତାକୁ । ରିତା ମଧ୍ୟ ନିଜର ପ୍ରେମରେ ବାନ୍ଧି ରଖିଥିଲା ପପୁକୁ । ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ । କେହି କାହାରିକୁ ଛାଡି ରହି ପାରୁନଥିଲେ । ଦୁହେଁ ସୁନାର ସଂସାର ଗଢିବାର ଏକ ସୁନେଲି ସ୍ୱପ୍ନ ଦେଖିଥିଲେ । କିନ୍ତୁ ଏମିତି ଏକ ଘଟଣା ଘଟିଲା, ଯାହା ସେମାନଙ୍କ ପ୍ରେମ ଓ ଭଲ ପାଇବାକୁ ଏକ ଭିନ୍ନ ମୋଡ଼ ଦେଇଥିଲା । ସେଦିନ ପପୁ ଆଉ ରିତା ବୁଲିବାକୁ ଯାଇଥିଲେ ସମୁଦ୍ର କୁଳ ଆଡେ । ଦୁହେଁ ବସି ଗପୁ ଗପୁ ହଠାତ ପପୁର କଣ ହେଲା । ଏମିତି କାଶ ହେଲାଯେ କାଶି କାଶି ପପୁର ତଣ୍ଟି ଫାଟି ଯାଉଥାଏ ରିତା ପାଖରେ ବସି ପିଠିକି ଆଉଁସୁଥାଏ ଆଉ କହୁଥାଏ ତୁମକୁ କେତେଥର କହିଲିନି ଡ଼ାକ୍ତର ଦେଖେଇବା ପାଇଁ ତୁମେ ମୋ କଥା ଶୁଣୁନା କାହିଁକି । କଲି ଯାଇ ଡାକ୍ତର ଦେଖେଇବ । ପପୁକୁ ତା'ର ନିଜ ଉପରେ ସନ୍ଦେହ ଆସିଲା । ଶୁଣିଥିଲା ଅଧିକ ସମୟ କାଶ ହେଲେ ତାହା କାଳେ ଯକ୍ଷ୍ମା ହୋଇଥାଇପାରେ ।


ତା'ପରଦିନ ପପୁ ଯାଇ ପହଁଚିଲା ଡାକ୍ତରଙ୍କ ପାଖରେ । ଡାକ୍ତରଙ୍କ କହିବା ମୁତାବକ ସବୁ ପ୍ରକାର ଟେଷ୍ଟ କଲା ଆଉ ଅପେକ୍ଷା କରି ରହିଲା ରିପୋର୍ଟକୁ । ଦୁଇ ଦିନ ପରେ ଡାକ୍ତର ଜଣାଇଲେ ତାକୁ ଯକ୍ଷ୍ମା ହେଇଛି । ତା'ର ପାଦ ତଳୁ ଯେମିତି ମାଟି ଖସି ପଡ଼ିଲା । ନିରୋଳାରେ କେତେ ଆଉ କାନ୍ଦିବ । ତାର ଆଖିରୁ ଲୁହ ବନ୍ଦ ହେଲାନି । ସବୁବେଳେ ଉଦାସ ରହିଲା । କାହା ସହ ବେଶି ମିଳାମିଶା କଲାନି । ରିତାର ଫୋନ ମଧ୍ୟ ଠିକରେ ରିସିଭ କଲାନି । ରିତା ତା'ର କାରଣ ଖୋଜୁଥିଲା କିନ୍ତୁ ଜାଣି ପାରିଲାନି । କିନ୍ତୁ ପପୁ ଭାବୁଥିଲା ମୁ ନିଜେତ ନଷ୍ଟ ହୋଇ ସାରିଲିଣି କଣ ପାଇଁ ଆଉ ଜଣଙ୍କ ଜୀବନକୁ ନଷ୍ଟ କରିବି । ଯେମିତି ବି ହେଉ ରିତା ଠାରୁ ଦୂରେଇ ରହିବାକୁ ପଡ଼ିବ । ଶେଷରେ ସେ ରିତାକୁ ଆଭୋଏଡ଼ କରିବା ଆରମ୍ଭ କଲା । ରିତା ତା'ର କାରଣ ବୁଝି ପାରୁନଥିଲା । ସେ ଖାଲି ଭାବୁଥିଲା କେମିତି ପପୁର ଏତେ ପରିବର୍ତ୍ତନ ଘଟିଲା । ଯିଏ ନିଜ ହୃଦୟଠୁ ଅଧିକ ଭଲ ପାଉଥିଲା କଥା ନହେଲେ ରହି ପାରୁନଥିଲା । ଆଜି କେମିତି ରହି ପାରୁଛି ସେ । ତଥାପି ରିତାର ବିଶ୍ୱାସ ଥିଲା ଦିନେ ନା ଦିନେ ପପୁ ନିଶ୍ଚିତ ତା ପାଖକୁ ଫେରି ଆସିବ ।


ଶେଷରେ ରିତା ଜାଣିବାକୁ ପାଇଥିଲା ପପୁକୁ ଯକ୍ଷ୍ମା ହୋଇ ଯାଇଛି । ରିତା ମଧ୍ୟ ଡାକ୍ତରୀ ପଢୁଥିଲା । ରିତା ଭାବୁଥିଲା ଏହି ସମୟରେ ପପୁ ପାଖରେ କେହି ଜଣେ ରହିବା ନିହାତି ଦରକାର । ଆଉ ଏବେ ତାଙ୍କର ପ୍ରାଥମିକ ଷ୍ଟେପ । ଚେଷ୍ଟା କଲେ ନିଶ୍ଚିତ ତାହା ଭଲ ହୋଇଯିବ ଆଉ ଏ ବିଶ୍ୱାସ ଥିଲା ରିତାଙ୍କର । ସେ ତାଙ୍କ କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଇଥିଲେ । ସମସ୍ତ ଭଲ ଭଲ ଡାକ୍ତରଙ୍କ ସହ କଥା ମଧ୍ୟ ହେଉଥିଲେ । ଏପଟେ ପପୁକୁ ବୁଝାଉଥିଲେ ମୁଁ ଜାଣିଛି ତୁମେ ମୋତେ କଣ ପାଇଁ ଏତେ ବଡ଼ ଘଟଣା ଲୁଚେଇଥିଲ । ହେଲେ ପପୁ, ମୁଁ ପରା ତୁମକୁ ଭଲ ପାଉଛି ତୁମର ଯଦି କିଛି ହୋଇଛି ଜାଣି ମୁଁ ତୁମକୁ ଏକାକୀ କରିଦେଇ ଚାଲିଯାଏ ତାହେଲେ ପ୍ରେମରେ କଳଙ୍କ ଲାଗିଯିବନି । ମୋ ଉପରେ ବିଶ୍ୱାସ ରଖ ନିଜ ଉପରେ ଭରସା ରଖ କିଛିବି ହେବନି ମୁଁ ଚେଷ୍ଟା ଜାରି ରଖିଛି ତୁମେ ନିଶ୍ଚିତ ଭଲ ହୋଇଯିବ । ଆଉ ଏକଥା ମନେ ରଖିଥିବ ଆମେ ଜିଇଁବା ସାଥି ହୋଇ ଆଉ ମରିବା ମଧ୍ୟ ସାଥି ହୋଇ । ମୁଁ ତୁମ ଛଡା ଆଉ କାହାକୁ ନିଜର କରି ପାରିବିନି ।


ରିତା ପପୁକୁ ନେଇ ବହୁତ ଡାକ୍ତରଙ୍କୁ ଦେଖାଇଥିଲା ଆଉ ସବୁଠି ତାକୁ ନିରାଶ ହେବାକୁ ପଡିଲା ତଥାପି ହାର ମାନିନଥିଲା ରିତା । ଚେଷ୍ଟା ଜାରି ରଖିଥିଲା ଶେଷରେ ଯାଇ ପହଞ୍ଚିଥିଲା ଡ଼ା. ରାଧାକାନ୍ତ ପଣ୍ଡାଙ୍କ ପାଖରେ ଯେଉଁଠିକି ସାଧାରଣ ଲୋକ ମାନେ ଯିବାକୁ ଡରନ୍ତି । କାହିଁକିନା ତାଙ୍କର ଫିସ ଥିଲା କାହିଁ କେତେ ଉର୍ଦ୍ଧରେ । ରିତା ପପୁ ପାଇଁ ନିଜର ଜୀବନ ବିକି ଦେବାକୁ ମଧ୍ୟ ରାଜି ଥିଲା । ବହୁତ କଷ୍ଟରେ ସେ ଦେଖା ପାଇଥିଲା ଡା. ପଣ୍ଡାଙ୍କର । ଆଉ ସାଥିରେ ନେଇ ଯାଇଥିଲା ତାର ସମସ୍ତ ସାର୍ଟିଫିକେଟ ଆଉ ଗହନ ଗଣ୍ଠି । ଡାକ୍ତର ରିତା ସହ କଥା ହେଲା ପରେ ତାକୁ ଆଶ୍ୱାସନା ଦେଇଥିଲେ ଆଉ କହିଥିଲେ । ତୁମର ପ୍ରେମ ଆଉ ଭଲପାଇବା ପାଖରେ ମୁଁ ଆଜି ହାର ମାନିଛି । ଆଉ ମୁଁ ସମ୍ପୁର୍ଣ୍ଣ ମାଗଣାରେ ପପୁର ଅପରେସନ କରିବି । ଯଦି ମୁଁ ଏହି କାମଟି ନକରିବି, ତାହେଲେ ମୁଁ ଭଗବାନଙ୍କ ପାଖରେ ଦୋଷୀ ହୋଇଯିବି ଆଉ ତୁମ ପ୍ରେମ ନିଶ୍ଚିତ ବଞ୍ଚିବ । ଆଉ ତାହା ଚିର ଶାଶ୍ୱତ ହୋଇ ରହିବ । ଶେଷରେ ପପୁର ଅପରେସନ ହେଲା ଆଉ ପପୁ ସମ୍ପୁର୍ଣ୍ଣ ଭାବେ ସୁସ୍ଥ ହୋଇଗଲା । ଆଉ ଡାକ୍ତର ପଣ୍ଡା ନିଜ ହାତରେ ସେ ଦୁଇ ଜଣଙ୍କ ବାହାଘର କରାଇଥିଲେ । ଆଉ ପପୁକୁ କହିଥିଲେ ମୁଁ ତୁମକୁ ବଞ୍ଚାଇନି ତୁମ ପ୍ରେମ ହିଁ ତୁମକୁ ଦେଇଛି ନୂଆ ଏକ ଜୀବନ ।