ଆର.ପି-୧୨୫, ପାଣ୍ଡବ ନଗର,
ଟଙ୍କପାଣି ରୋଡ, ଭୁବନେଶ୍ଵର
"ବିବୁଧେନ୍ଦ୍ର ମିଶ୍ର" ୧୯୨୦ ମସିହା ନଭେମ୍ବର ୩୦ ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର କୁଣ୍ଢେଇବେଣ୍ଟ ସାହିରେ ଗୋପିନାଥ ମିଶ୍ର ଓ ମୁକ୍ତାବାଳା ଦେବୀଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ୧୯୩୭ ମସିହାରେ ସେ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେସନର ଓଡ଼ିଶା ଶାଖାର ପ୍ରତିଷ୍ଠାତା ଓ ସଦସ୍ୟ ଥିଲେ । ୧୯୪୦ ମସିହାରେ ଜାନୁଆରୀ ୨୬ ତାରିଖ ଦିନ ରେଭେନ୍ସା ମହାବିଦ୍ୟାଳୟ ପରିସରରେ ବ୍ରିଟିଶ ପତାକା ୟୁନିଅନ ଜ୍ୟାକକୁ ବାହାର କରି କଂଗ୍ରେସର ତ୍ରିରଙ୍ଗା ପତାକା ଉଡ଼ାଇବା ଯୋଗୁଁ ମହାବିଦ୍ୟାଳୟରୁ ନିଲମ୍ବିତ ଓ ପୁଲିସ ଦ୍ଵାରା ଗିରଫ ହୋଇ କାରାବରଣ କରିଥିଲେ । ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ ବ୍ରହ୍ମପୁର ଜେଲରେ ବନ୍ଦୀଜୀବନ ଅତିବାହିତ କରିଥିଲେ । ସ୍ଵାଧୀନତା ପରବର୍ତ୍ତୀ ସମୟରେ ସେ ସୀମା ଆନ୍ଦୋଳନ, ଏ.ଆଇ.ଏସ.ଏଫ, ଏବଂ ବିଭିନ୍ନ ଶ୍ରମିକ ସଂଗଠନ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ସେ କଂଗ୍ରେସରେ ଥିଲେ ମଧ୍ୟ ଗାନ୍ଧୀଜୀଙ୍କ ଅପେକ୍ଷା ସୁଭାଷ ବୋଷ ତାଙ୍କୁ ବେଶି ଆକର୍ଷିତ କରିଥିଲେ । ବୋଷଙ୍କ ପରି ସେ ମଧ୍ୟ ବିଶ୍ଵାସ କରୁଥିଲେ ଯେ କେବଳ ଅହିଂସା ଉପାୟରେ ସ୍ଵାଧୀନତା ମିଳିବନି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆହ୍ଵାନରେ ସେ ଫରୱାର୍ଡ଼ ବ୍ଳକରେ ଯୋଗଦେଇ ଓଡ଼ିଶା ଶାଖାର ସଭାପତି ହୋଇଥିଲେ । ପରବର୍ତ୍ତୀ ସମୟରେ ଆଜାଦ ହୀନ୍ଦ ଫୌଜର ପୁନର୍ବସନ ଓ ଥଇଥାନ କମିଟି, ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଥିଲେ । ସେ ନିଜ ଆତ୍ମଜୀବନୀ 'ଜୀବନ ଯାତ୍ରା ପଥରେ', 'ମଣିଷ ପରି ମଣିଷ', 'ଜେଲ-୧୯୪୨', ସ୍ଵାଧୀନତା ସଂଗ୍ରାମର କେତେକ ତୁଙ୍ଗ ନେତାଙ୍କ ଜୀବନୀ (ଆମ ନେତା ସିରିଜ), ‘ଖିଆଲି’, ‘ଅସମାପ୍ତ’, ‘ମାଟ୍ରିକୁଲେସନର ଇତିହାସ’, ‘ଭାରତର ଇତିହାସ’ ଆଦି ଅନେକ ପୁସ୍ତକ ରଚନା କରିଯାଇଛନ୍ତି । ସେ ସୁଭାଷ ବୋଷଙ୍କ ଭାଇ ଶରତ ଚନ୍ଦ୍ର ବୋଷଙ୍କ ଇଂରାଜୀ ପତ୍ରିକା 'ନେସନ' ର ଓଡ଼ିଶା ଆଞ୍ଚଳିକ ସାମ୍ବାଦିକ ଭାବେ ଓ 'ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ଼' ର ଓଡ଼ିଶା ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ । ବିବୁଧେନ୍ଦ୍ର ବିଭିନ୍ନ ସମୟରେ 'ସମାଜ' ର ସହ-ସମ୍ପାଦନା ସହ 'ଦିନଲିପି' ଓ 'ମାତୃଭୂମି' ର ସମ୍ପାଦନା ଦାୟିତ୍ଵ ମଧ୍ୟ ତୁଲାଇଥିଲେ । ୧୯୫୪ ରୁ ୧୯୬୩ ଯାଏଁ ଉତ୍କଳ ବିଶ୍ଵବିଦ୍ୟାଳୟର ସିନେଟ, ସିଣ୍ଡିକେଟ ଓ ଏକାଡେମିକ କାଉନ୍ସିଲର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ୧୯୫୮ରେ ଟ୍ରେଡ଼ ୟୁନିଅନ କଂଗ୍ରେସ ଓଡ଼ିଶା ଶାଖାର ଉପସଭାପତି ଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ୧୯୮୭ରେ ଭିଏନା'ଠାରେ ଅନୁଷ୍ଠିତ ବିଶ୍ଵଶାନ୍ତି ସମାବେଶରେ ଭାରତ ପକ୍ଷରୁ ୯ଜଣିଆ ପ୍ରତିନିଧି ମଣ୍ଡଳର ସଦସ୍ୟ ଭାବେ ଯୋଗ ଦେଇଥିଲେ ।

0 Comments
You can write now your valuable comments here. Off-topic comments may be removed or deleted without prior notice.