ଅଧ୍ୟାପକ, ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୂରଭାଷ : ୯୪୩୭୭୪୦୨୮୦
ଊନବିଂଶ ଶତକରେ ଓଡିଶାରେ ଯେତେବେଳେ ନବଜାଗରଣର ଜୁଆର ଉଠିଲା, ନୂତନ ରୁଚି ପରିଚର୍ଯ୍ୟାର ଇଚ୍ଛାର ସୃଷ୍ଟି ଘଟିଲା, ନୂତନ ଚିନ୍ତା ଓ ଚେତନାର ସୁଅ ପ୍ରବାହିତ ହେଉଥିଲା, ତା'ର ଅନ୍ତରାଳରେ ଯେଉଁ କେତେଜଣ ମୁଷ୍ଟିମେୟ ଜାତିପ୍ରାଣ ଓଡିଆ ଥିଲେ ସେମାନଙ୍କ ମଧ୍ୟରୁ ଫକୀରମୋହନ ଅନ୍ୟତମ ସାରଥୀ । ଫକୀରମୋହନ ଜଣେ ଏଭଳି ସ୍ରଷ୍ଟା ଭାରତୀୟ ସାହିତ୍ୟ ଜଗତରେ ଏ ଯାବତ୍ କେହି ତାଙ୍କପରି ହୋଇଥିବା ମନେହୁଏନାହିଁ । ତାଙ୍କର ଜନ୍ମ ବାଲେଶ୍ୱରର ଏକ ସମ୍ତ୍ରାନ୍ତ ବଂଶରେ ଘଟିଥିଲା, ହେଲେ ସେ ଥିଲେ ଶୈଶବରୁ ପିତୃମାତୃହୀନ, କପର୍ଦ୍ଦକଶୂନ୍ୟ, ସ୍ୱଳ୍ପଶିକ୍ଷାପ୍ରାପ୍ତ ଓ ରୁଗ୍ ଣ ବ୍ୟକ୍ତିଟିଏ । ବାଲ୍ୟବସ୍ଥାରେ ବୃଦ୍ଧା ପିତାମହୀଙ୍କ ପାଖରେ ପାଳିତ ହୋଇଥିଲେ ଓ ସ୍ୱଳ୍ପଶିକ୍ଷାପ୍ରାପ୍ତ ପରେ ଅର୍ଥାଭାବରୂ ବାଲେଶ୍ୱର ବନ୍ଦରରେ ପାଲ ସିଲେଇ କାମ ତଦାରଖ କରିବା ନିମନ୍ତ ସେ ନିଜକୁ ନିୟୋଜିତ କରିଥିଲେ ।
ଫକୀରମୋହନ ଏକାଧାରରେ କବି, ଔପନ୍ୟାସିକ, ଶାସକ, ପଣ୍ତିତ, ସମାଜ-ସଂସ୍କାରକ, ମୁଦ୍ରାକର, ସଂପାଦକ, ବ୍ୟବସାୟୀ, ସର୍ବୋପରି ଜଣେ ଦେଶଭକ୍ତ ଓ ଜାତି ସେବକ ଥିଲେ । ତାଙ୍କ ଜୀବନ ଅତି ରୋମାଞ୍ଚକର ଥିଲା, ଯାହାଫଳରେ ସେ ତାଙ୍କର ଅନବଦ୍ୟ ଗଳ୍ପ-ଉପନ୍ୟାସ ଦ୍ୱାରା ନିଜମାତୃଭାଷାକୁ ପ୍ରଚୁର ଊର୍ବର କରିବାରେ ସଫଳ ହୋଇପାରିଥିଲେ । ଅଧିକ ବିସ୍ମୟ ସେ ଦୁଇଟି ବର୍ଷରୁ ଅଧିକ ସ୍କୁଲ ମାଡି ପାଠ ପଢିବାର ସୁଯୋଗ ପାଇନଥିବା ବେଳେ ସେ ନିଜ ଚେଷ୍ଟା ବଳରେ ପରବର୍ତ୍ତୀ ସମୟରେ ଇଂରାଜୀ ଓ ସଂସ୍କୃତ ସମେତ ପାଞ୍ଚଟି ଭାଷାକୁ ଆୟତ୍ତକରି ଏକ ବିରାଟ ପ୍ରତିଭାର ପରିଚୟ ଦେଇଥିଲେ । ତାଙ୍କ ଅସାଧାରଣ ବିଚକ୍ଷଣତା ଯୋଗୁ ତତ୍କାଳୀନ ବହୁ ଉଚ୍ଚପଦସ୍ଥ ଇଂରେଜ କର୍ମଚାରୀଙ୍କ ବନ୍ଧୁ ହେବା ସଂଗେ ସଂଗେ ସେ ବଶୀୟ ରାଜ୍ୟମାନଙ୍କର ଶାସକ ମଧ୍ୟ ହୋଇଥିଲେ ।
ଫକୀରମୋହନ କେବଳ ମୌଳିକ ରଚନାରେ ନୁହଁନ୍ତି, ଛାପାଖାନା ପ୍ରତିଷ୍ଠା, ପାଠ୍ୟପୂସ୍ତକ ପ୍ରଣୟନ, ପତ୍ରପତ୍ରିକା ସଂପାଦନ, ପ୍ରଶାସନ, ସମାଜସେବା, ଭାଷା ଓ ସାହିତ୍ୟର ସୁରକ୍ଷା ଆଦି ପ୍ରତ୍ୟେକ କ୍ଷେତ୍ରରେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ନିର୍ବାହ କରିଛନ୍ତି, ସେଥିପାଇଁ ଓଡିଆ ଜାତି ତାଙ୍କ ପାଖରେ ଯୁଗେଯୁଗେ ଋଣୀ ହୋଇରହିଥିବ । ସେ ଥିଲେ ମନ ଓ ମନନରେ ଖାଣ୍ଟି ଓଡିଆ । ଭାଷା ଆନ୍ଦୋଳନରେ ଓ ଦେଶ ମିଶ୍ରଣ ଆନ୍ଦୋଳନରେ ସେ ଯେପରି ସଫଳ ଭୂମିକା ଗ୍ରହଣ କରିଛନ୍ତି, ସେପରି ମଧ୍ୟ ତାଙ୍କ ଭାଷା ଓ ପ୍ରକାଶଭଙ୍ଗୀ ସ୍ପଷ୍ଟ ଓ ନିର୍ଭୀକ ଯାହା ଓଡିଆ ଜାତିର ପ୍ରାଣକୁ ନିବିଡ ଭାବରେ ସ୍ପର୍ଶ କରିଛି, ତେଣୁ କଥାଶିଳ୍ପୀ ଫକୀରମୋହନ ଏ ଜାତିର ସାହିତ୍ୟରେ ଅଦ୍ୱିତୀୟ ଓ ଚିରନମସ୍ୟ ହୋଇରହିଛନ୍ତି ।
ଫକୀରମୋହନ ମାନବ ଜୀବନର ବାସ୍ତବ ଅନୁଭୂତି, ନାନାବିଧ ସମସ୍ୟା, ଅନ୍ତର୍ଦ୍ଵନ୍ଦ ଆଦିକୁ ନାନା ବର୍ଣ୍ଣ ବିଭାରେ ଉଦ୍ଘାଟନ କରିଛନ୍ତି । ଜୀବନ ଓ ଜଗତକୁ ଆଧାରର କ୍ଷେତ୍ର ଭାବରେ ଧାରଣ କରି ସୃଷ୍ଟିକର୍ମରେ ମନୋନିବେଷ କରିଛନ୍ତି ଓ ଜୀବନର ବିଶ୍ଳେଷଣ ସହିତ ସମାଜର ମୂଲ୍ୟବୋଧକୁ ନିରୂପଣ କରିଛନ୍ତି । ତାଙ୍କର ସୃଷ୍ଟି ମଧ୍ୟରେ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, କବିତା ଓ ଆତ୍ମଜୀବନୀ ଆଦି ଖୁବ ଗୁରୁତ୍ୱପୂର୍ଣ୍ଣ । ତାଙ୍କର କୃତି ସମୂହ ଓଡିଆ ସାହିତ୍ୟ ଭଣ୍ତାରର ଏକ ଏକ ଅନନ୍ୟ ସାଧାରଣ ଲିପି-ସଂପଦ । ତାଙ୍କର ଅମ୍ଳାନ କୃତି ଗୁଡିକ କବିତା- ପୂଷ୍ପମାଳା, ଉପହାର ଓ ଅବସର ବାସରେ, କାବ୍ୟଗୁଡିକ ହେଉଛି- ଉତ୍କଳ ଭ୍ରମଣ, ବୌଦ୍ଦବତାର କାବ୍ୟ, ପୂଜାଫୁଲ, ଧୂଳି । ସେ ଥିଲେ ସଫଳ ଅନୁବାଦକ, ମହାଭାରତ (ଅସଂପୂର୍ଣ), ରାମାୟଣ, ଶ୍ରୀମଦ୍ ଭଗବତ୍ ଗୀତା ଓ ଉପନିଷଦର ଅନୁବାଦ କରିଛନ୍ତି । ଇତିହାସ ରଚନାରେ ଭାରତବର୍ଷର ଇତିହାସ ଗ୍ରନ୍ଥ ଦ୍ୱୟ, ଗଳ୍ପ ଓ ଊପନ୍ୟାସ କ୍ଷେତ୍ରରେ ତାଙ୍କର କୋଡିଏଟି ଗଳ୍ପ ଓ ଚାରୋଟି ଉପନ୍ୟାସ- ଛ'ମାଣ ଆଠଗୁଣ୍ଠ, ଲଚ୍ଛମା, ମାମୁ ଓ ପ୍ରାୟଶ୍ଚିତ ଏକ ଏକ ଅମର କୃତି । ତାଙ୍କ ରଚିତ କବିତା ଓ କାବ୍ୟ ଗୁଡିକରେ ବ୍ୟକ୍ତିଗତ ବିଷାଦବୋଧ, ଅତୀତପ୍ରୀତି, ପଲ୍ଲୀପ୍ରାଣତା, ଜାତୀୟତା , ସମାଜଚିନ୍ତନ, ନାରୀବାଦୀ ଦୃଷ୍ଟିଭଙ୍ଗୀ, ମୃତ୍ୟୁବୋଧ, ବ୍ୟଙ୍ଗଧର୍ମିତା ଆଦିର ସ୍ୱରସଂଭାର ରହିଛି । ବିଶେଷତଃ ଦୁଇଦୁଇଟି ପତ୍ନୀ ଓ ମାତାମହୀ ଆଦିଙ୍କ ପ୍ରଭାବପୁଷ୍ଟ ତିକ୍ତ-ମଧୁର ଅନୁଭୂତି ତାଙ୍କ କାବ୍ୟ କବିତା, ଗଳ୍ପ ଉପନ୍ୟାସ ଓ ଆତ୍ମକାହାଣୀରେ ନାନା ଚରିତ୍ର ଓ ଭାବ ଭାବନାରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ପ୍ରକାଶଲାଭ କରି ପାଠକୀୟ ହୃଦୟ ମନ୍ଥନ କରିଛି । ପ୍ରତ୍ୟେକଟି ଗଳ୍ପ, ଉପନ୍ୟାସ ଓ ଆତ୍ମଜୀବନୀରେ ସମାଜ, ସଂସ୍କୃତି, ରାଜନୀତି, ଧର୍ମ ଆଦି ନାନା ପ୍ରସଂଗ ଉପସ୍ଥାପନର କଳାତ୍ମକ ଚିତ୍ର ପ୍ତତିଫଳିତ । ବିଶେଷତଃ ଊନବିଂଶ ଓ ବିଂଶ ଶତକର ଜୀବନଚିତ୍ର ଅଙ୍କନ କରିବା ତାଙ୍କ ସୃଷ୍ଟିର ଶ୍ରେଷ୍ଠ ଉପାଦାନ ଥିଲା । ହାସ୍ୟବ୍ୟଙ୍ଗ ଶୈଳୀ, କଟାକ୍ଷ, କରୁଣ ମଧୁର ରସ ପରିବେଷଣହିଁ ତାଙ୍କ ସାହିତ୍ୟର ବୈଶିଷ୍ଟ୍ୟ । ବିଶିଷ୍ଟ କବି ଓ ସମାଲୋଚକ ଡଃ ମାୟାଧର ମାନସିଂ ତାଙ୍କୁ ସମଗ୍ର ଆଧୂନିକ ଭାରତୀୟ ସାହିତ୍ୟର ପ୍ରଥମ ଲୋକ-ଲେଖକର ସମ୍ମାନ ଦେବାକୁ ଯାଇ ବିଖ୍ୟାତ ବଙ୍ଗଳା ଔପନ୍ୟାସିକ ବଙ୍କିମଚନ୍ଦ୍ର ଓ ହିନ୍ଦୀ ଔପନ୍ୟାସିକ ପ୍ରେମଚାନ୍ଦଙ୍କ ସହ ତୁଳନା କରିଛନ୍ତି ।
ବାସ୍ତବରେ ଫକୀରମୋହନଙ୍କ ସୃଷ୍ଟି ସଂପଦକୁ ଅନୁଶୀଳନ କଲେ ସ୍ପଷ୍ଟ ହୁଏ, ସେ ଯେଭଳି ଜନସାଧାରଣଙ୍କ ଲୌକିକ ଭାଷାକୁ ମାଟି ଓ ପ୍ରକୃତି ସହ ଘନିଷ୍ଠ ଭାବେ ସଂପୃକ୍ତ ଥିବା ନରନାରୀ ମାନଙ୍କୁ ସାହିତ୍ୟରେ ଅଙ୍ଗୀକାର କରି ଆମକୁ ବିଶ୍ୱଜନୀନତାର ଯେଉଁ ସ୍ୱାଦ ଦେଇଛନ୍ତି, ଯର୍ଥାଥରେ ସେ `ବ୍ୟାସକବି' ଓ `ସରସ୍ୱତୀ' ଉପାଧିର ଯୋଗ୍ୟ ଏକ ଅମ୍ଳାନ ମହାପୁରୁଷ ।

0 Comments
You can write now your valuable comments here. Off-topic comments may be removed or deleted without prior notice.