ଧନଶ୍ରୀ ମିଶ୍ର
ଆର.ପି-୧୨୫, ପାଣ୍ଡବ ନଗର,
ଟଙ୍କପାଣି ରୋଡ, ଭୁବନେଶ୍ଵର

ବିଦ୍ରୋହୀ ଦିବାକର ପରିଡ଼ା, ପିତା ବିଷୋୟୀ ସାମନ୍ତ ହରିହର ପରିଡ଼ା ଓ ମାତା ତାରା ଦେବୀଙ୍କର ଜ୍ୟୋଷ୍ଠ ପୁତ୍ର ଥିଲେ । ସେ ୧୯୧୧ ମସିହା ନଭେମ୍ବର ମାସ ୩୦ ତାରିଖରେ ରଣପୁରର ଗଡ଼ବାଣିକିଲୋଠାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କର ମୃତ୍ୟୁ ପରେ ଉତ୍ତରାଧିକାରୀ ସୂତ୍ରରେ ବହୁ ଭୂସମ୍ପତିର ମାଲିକାନା ପାଇଥିବା ସତ୍ତ୍ଵେ, ସେ ରଣପୁର ରାଜାଙ୍କ ପ୍ରିଣ୍ଟିଂ ପ୍ରେସରେ ଚାକିରି କରୁଥିଲେ । ଦିବାକର ଜଣେ କବି ଓ ଜ୍ୟୋତିଷ ଶାସ୍ତ୍ର ବିଶାରଦ ମଧ୍ୟ ଥିଲେ । ଶ୍ରୀ ଶ୍ରୀ ଆର୍ତ୍ତେଶ୍ଵର ଦେବଙ୍କ ଜଣାଣ, ଏବଂ 'ଜାତକାଳଙ୍କାର' ନାମରେ ସେ ଦୁଇଟି ପୁସ୍ତକ ତଥା 'ଜାଗିଉଠ' ଏବଂ 'ଆଗେଇ ଚାଲ' ନାମରେ ଦୁଇଟି କ୍ରାନ୍ତିକାରୀ କବିତା ପୁସ୍ତକ ରଚନା କରିଛନ୍ତି । ରଣପୁର ରାଜାଙ୍କ ଅମଳରେ ଚାଲିଥିବା, 'ସଡ଼କ ବେଠି' ରେ ନିରିହ ପ୍ରଜାମାନଙ୍କୁ ଉପରେ ଚାଲିଥିବା ଦାରୋଗାର ଜୁଲମ ତାଙ୍କ ମନରେ ଘୋର ଆଲୋଡନ ସୃଷ୍ଟି କରିଥିଲା । ଗଡ଼ଜାତୀ ଅନ୍ୟାୟ ଓ ଜୁଲମର ବିରୋଧରେ ସେ ଚାକିରିରୁ ଇସ୍ତଫା ଦେଇ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୩୯ ମସିହା ଜାନୁଆରୀ ମାସ ୫ ତାରିଖ, ପୌଷ ପୂର୍ଣ୍ଣିମାଦିନ ପ୍ରଜାମଣ୍ଡଳର ଆହ୍ଵାନକ୍ରମେ ରଣପୁର ଗଡ଼ ରାଜ ଉଆସ ସାମ୍ନାରେ ପ୍ରବଳ ଜନସମାଗମ ହୋଇଥିଲା । ଏହି ଜନ ସମାଗମକୁ ଦମନ କରିବାକୁ ଆସିଥିବା ଫିରିଙ୍ଗି ରାଜନୈତିକ ଏଜେଣ୍ଟ ବେଜେଲଗେଟ, ସେଠାରେ ଘଟିଥିବା ଗଣ୍ଡଗୋଳରେ ନିହତ ହୋଇଥିଲେ । ବେଜେଲଗେଟଙ୍କ ମୃତ୍ୟୁ ପାଇଁ ବିଦ୍ରୋହୀ ଦିବାକର ଓ ତାଙ୍କ ସାଥୀ ରଘୁନାଥଙ୍କୁ ଦାୟୀ କରି ଗିରଫ କରାଗଲା । ଫିରିଙ୍ଗି ବିଚାରପତି ସିଅରରଙ୍କ ଅଦାଲତରେ ଦିବାକର ଓ ରଘୁନାଥଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡାୟିତ କରାଗଲା । ୧୯୪୧ ମସିହା ଅପ୍ରେଲ ମାସ ୪ ତାରିଖ ପ୍ରାତଃ କାଳରେ ବିହାର ଭାଗଲପୁର ଜେଲରେ ରଘୁ-ଦିବାକରଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଗଲା । ଦିବାକରଙ୍କ ପଦାଙ୍କ ଅନୁସରଣ କରି, ତାଙ୍କ କନିଷ୍ଠ ଭ୍ରାତା ରତ୍ନାକର ଓ ଚକ୍ରଧର ତଥା କନିଷ୍ଠା ଭଗ୍ନୀ ଇନ୍ଦୁମତୀ ମଧ୍ୟ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।