ଅନୁରାଧା ପଣ୍ଡା
ଭୁବନେଶ୍ଵର

କାର୍ତ୍ତିକ ପୂର୍ଣ୍ଣମୀ
ଧର୍ମ ମାସର ଶେଷ ଦିନ ,
ଆଜିବି ଜୀବନ୍ତ
ପୂର୍ବଜଙ୍କ ସ୍ମୁତି
ଆମ ମାନସ ପଟରେ ।
ସେଇ ଅତୀତରେ
ବାଣିଜ୍ୟ ନିମନ୍ତେ,
ଓଡିଆ ସାଧବ ପୁଅ
ବୋଇତ ମେଲି ଦେଉଥିଲା
ବିଶାଳ ସାଗର ବକ୍ଷରେ ।
କାହିଁ ଦୂରଦେଶେ,
ଜାଭା, ସୁମାତ୍ରା
ବାଲି ଓ ବୋର୍ଣ୍ଣିଓ ଦ୍ଵୀପେ,
ପ୍ରିୟ ପରିଜନ
ସବୁକିଛି ପଛ ରେ ଛାଡି ।
ଯାତ୍ରା ଆରମ୍ଭରେ
ଅମୃତ ବେଳାରେ,
ଝିଅ ବୋହୂ ମାନେ
ବନ୍ଦାପନା କରି,
ଦୀପ, ଧୂପ ଓ ଅର୍ଘ୍ୟ ଥାଳରେ
ସିନ୍ଦୁର, ଚନ୍ଦନ ମାରି ମଥାରେ,
ଶୁଭ ମନାସି
ପ୍ରଭୁଙ୍କୁ ପ୍ରର୍ଥନା କରି ଛାଡୁଥିଲେ,
ନିଜ ନିଜର ଲୁହ ଆଉ
କୋହକୁ ମନରେ ଚାପିଧରି,
ଅନେକ ଶଙ୍କା
ଆଶଙ୍କା ମଧ୍ୟ୍ୟରେ
ଥରି ଯାଉଥିବା ହୃଦୟକୁ
ବୁଝେଇ ସୁଝେଇ,
ଜୀବନ ଓ ଜୀବିକାର
ବୁଝାମଣା ଭିତରେ ।
ଧିରେ ଧିରେ ସଭ୍ୟତାର
କ୍ରମ ବିକାଶରେ,
ସଡକ ପଥର ଉନ୍ନତିରେ
ପରିବହନର ରାସ୍ତା
ବଦଳି ଯାଇଛି ।
ହେଲେ ଆଜିବି ପ୍ରତିଟି ଓଡିଆ
ସ୍ମୃତିରେ ସାଇତିଛି
ବୋଇତ, ସାଧବ ପୁଅ
ସାଧବ ବୋହୂ
ବୋଇତ ବନ୍ଦାଣ
ଏମିତି ଅନେକ କିଛି ।
ଏଇ କାର୍ତ୍ତିକ ପୂର୍ଣ୍ଣମୀରେ
କଦଳୀ ପଟୁକାରେ
ଡଙ୍ଗାଟିଏ କରି
ସେଥିରେ ଫୁଲ, ଧୂପ ,ଦୀପ ଓ
ଅରୁଆ ଚାଉଳ ଥୋଇ,
ଆ କା ମା ବୈ
ପାନ ଗୁଆ ଥୋଇ
ପାନ ଗୁଆ ତୋ'ର
ମାସକ ଯାକର ଧରମ ମୋ'ର,
ଏଇ ଗୀତ ଗାଇ
ପୁଷ୍କରିଣୀ, ନଦୀ ଅବା ସମୁଦ୍ରରେ
ଭସେଇ ଦବାର ଇଛାଟିଏ
ପୁଣି ସତେଜ କରି ଦିଏ
ଆମ ପୂର୍ବଜଙ୍କ ସ୍ମୃତି ସବୁ,
ଆଉ ଉତ୍କଳୀୟ ସଂସ୍କୃତିର
ସୁନ୍ଦର ପରମ୍ପରାଟିକୁ ।