ପ୍ରସନ୍ନ କୁମାର ମାଦଳା
ଘ.ନଂ- ଏଫ୍/୧୩, ସେକ୍ଟର-୪
ରାଉରକେଲା- ୭୬୯୦୦୨
ଫୋନ୍- ୭୯୭୮୧୯୨୨୨୭

ଘଡ଼ ଘଡ଼ କରି ଘଡ଼ଘଡି ମାରି
ବରଷା ଏ ଆସିଥିଲା
ଝର ଝର କରି ଝରିଗଲା ବାରି
ମାଟିକୁ ଭିଜାଇ ଦେଲା ।
ଘମ ଘମ ହୋଇ ଘିମିରି ଜଳାଇ
ଦେହ ସାରା ପୋଡୁଥିଲା
ଟପ ଟପ ପାଣି ପଡନ୍ତେ କେଜାଣି
କୁଆଡେ ଉଭେଇ ଗଲା ।
ଫର ଫର ଧୋବ ବଗ ଛାଡେ ରାବ
ବିଲମାଳେ ଦିଶେ ଧଳା
ତର ତର ହୋଇ ଚଷାଭାଇ ଯାଇ
ଚାଷ ଅନୁକୁଳ କଲା ।
ପଚର ପଚର ପାଣି କାଦୁଅର
ଦାଣ୍ଡରେ ଲାଗିଛି ଲୀଳା
ଧପଡ଼ ଧପଡ଼ ଚାଲିଗଲେ ବଡ଼
ହଇରାଣ ସବୁ ପିଲା ।
କଟର କଟର ଶୁଭେ ବେଙ୍ଗ ସ୍ବର
ହେଲା କ୍ଷଣି ସଞ୍ଜବେଳା
ଝଅଟ ଝଅଟ ପଢିବାରେ ପାଠ
ଲାଗେନାହିଁ ମନ ଭଲା ।
ସକ ସକ ହୋଇ ସକାଳୁ ଉଠଇ
ନିତ୍ୟକର୍ମ ସବୁ ଢିଲା
ବିଜି ବିଜି ହୁଏ ବିଦ୍ୟାଳୟେ ଯାଏ
ଛତାଟିଏ କରି ଖୋଲା ।
ଧାଇଁ ଧାଇଁ ଆସେ ଛୁଟି ହେଲେ ଶେଷେ
ସାଙ୍ଗ ସାଥୀ କରି ମେଳା
କୁଳୁ କୁଳୁ ନାଳ ଦେଖିଲେ ସହଳ
ଭସାଉ କାଗଜ ଭେଳା ।
ପୁଚୁ ପୁଚୁ ନାଲି ଦେଖି ଜାମୁକୋଳି
ଗଛକୁ ମାରିଣ ଢେଲା
ଟକ ଟକ ଜିଭ ଲାଳ ବହୁଥିବ
ଖାଇଦେଲେ ସରିଗଲା ।
ବାର ବାର ଦେଖୁ ମେଲାଇ ଜିଭକୁ
ଦିଶେ ବାଇଗଣୀ କଳା
ଛନ ଛନ ହୋଇ ଘରେ ପଶେ ଯାଇ
ମାଆ କରେ ପାଟି ମେଲା ।