ବିକେଶ କୁମାର ସାହୁ
ଭୂଷଲାଡ଼, ସିନ୍ଧେକେଲା, ବଲାଙ୍ଗୀର, ଦୂରଭାଷ- ୭୭୫୨୦୬୬୨୧୭

କାହିଁସେ ଶ୍ରାବଣ କାହିଁସେ ବରଷା
କେହ୍ନେ ଗଲାରେ ଉଭେଇ
ଝିପି ଝିପି ଆଉ ଝରୁନି ତ ଜମା
ମନେ ଆଉ ନାହିଁ ଶାନ୍ତି ॥

ମାରୁନି ବିଜୁଳି ମେଘେ ଲୁଚି ଲୁଚି
ଖେଳୁନାହିଁ ଳୁଚକାଳି
ଘଡ ଘଡି ତାଳେ ଥରୁନି ପୃଥିବୀ
ସବୁ ଗଲାତ ବଦଳି ॥


ଦେଖି ନାହିଁ ଆଉ କାହିଁ କେତେ ଦିନୁ
ସେ ସାଧବ ବହୂ ପୋକ
ବିଲ ବାଡି ପଟେ ଶୁଭୁନାହିଁ ଆଉ
ବେଙ୍ଗ ବେଙ୍ଗୁଲୀ ଶବଦ ॥

ଚଷା ଚଷୁନି ତ ବିଲ ଆଉ ଜମା
ଦିଶୁନି ଆଉ ଲଙ୍ଗଳ
ମଙ୍ଗଲୁ ନନା ମୋ ଗାଉ ନି ରେ ଗୀତ
ଟ୍ରାକଟରେ କରେ ଚାଷ ॥


ହସୁନାହିଁ ବିଲ ଗଛଲତା ବଣ
ଉଠୁନି ଧୂଆଁ ପର୍ବତ
ଜିଆ ଆଜି ଆଉ ଟାଣୁ ନାହିଁ ଗାର
ଗୁରୁଣ୍ଡି ମାଟି ଉପର ॥

ଆସୁନାହିଁ ଆଉ କାଦୁଅର ଗନ୍ଧ
ଦିଶୁନି ଗେଣ୍ଡା କଙ୍କଡା
ତୁହା ତୁହା ସେଇ ଶୀତଳ ବର୍ଷାରେ
ନାହିଁ ଭିଜିବାର ମଜା ॥


ବସୁ ନାହିଁ ହାଣ୍ଡି ଆଉ ତ ଚୁଲିରେ
ଆଈ ମା ଭାଜୁନି ଖଇ
ସନ୍ଧ୍ୟା ହେଲେ ଗପ ବୁଢ଼ୀ ଅସୁରୁଣୀ
ଆଉ ତ ରେ ଶୁଭୁ ନାହିଁ ॥

ଦିଶୁ ନାହିଁ ବଢି ଆଉ ତ ନଈରେ
କେତେ ଯୁଗ ଗଲା ବିତି
ଜାଲ ପାତି ଆଉ ବସୁନି କେଉଟ
ଆଣୁ ନାହିଁ ମାଛ ଧରି ॥


ନାହିଁ ଚାଳଘର ନାହିଁ କଣ୍ଟାବାଡ଼
ହେଲାଣିତ ସବୁ କୋଠା
ଗାଁ ଦାଣ୍ଡେ ଆଉ ଜମୁ ନାହିଁ ପାଣି
ଭାସୁନି କାଗଜ ଡଙ୍ଗା ॥

ବାଡ଼ି ପଟେ ଆଉ ହେଉ ନାହିଁ ଚାଷ
ମକା କଲରା କାକୁଡି
କଣ୍ଟାବାଡେ ମାଡି ଫଳୁ ନି ତ ଜମା
ଲାଉ କଲରା ବୋଇତି ॥


ଖାଁ ଖାଁ ଆଜି ଲାଗେ ଏ ଆକାଶ
ନାହିଁ ମେଘ ସମାଗମ
କାହିଁ ଗଲା ଛତା ସେଇ ଝରି ବର୍ଷା
କେମିତି କା ଏ ଶ୍ରାବଣ ॥