ଗୋପାଳ ସେନ, କୟଥପଲ୍ଲା, ଖୋରଧା

ଫୁଲ !
କେବେ ଫୁଟେ ଅରମା ଗହଳେ
କେବେ ପୁଣି ପୁଞ୍ଜିପତି ଉପବନ ପରେ,
ଫୁଲକୁ ଫୁଟାଇବା ପାଇଁ
ଭାସିଆସେ ନେତାଙ୍କର
ତତଲା ଭାଷଣ
ଯୋଜନା ପ୍ରସ୍ତୁତ କରେ ସରକାର
କାଗଜ କଲମ ରେ ॥

ଫୁଲ କଢ଼
ଧିରେ ଯେବେ ହେଲା ବଡ
ବ୍ରାହ୍ମ ମୂହୁର୍ତ୍ତରେ ଧରାପଡେ
ମାଳୀ ପୁଅ ଗାଢୁଆ ଡାଲାରେ,
ହୋଇ ଫୁଲମାଳ ଲମ୍ବିଯାଏ
ଧଳା ପିନ୍ଧା କଳା କଳା ବାବୁଙ୍କ ଗଳାରେ ॥

ଜିନ୍ଦାବାଦ ମୂର୍ଦାବାଦ ଧ୍ବନି ଧରି
ସହରତଳି କିମ୍ବା ଗାଁର ଗହଳି,
ଥରେଟେ ବୁଲି ଆସିଲେ
ଝାଳର ଗନ୍ଧ ଆକ୍ରାନ୍ତ ରେ
ସବୁ ଫୁଲ ଯାଉଛି ମଉଳି ॥

ଫୁଲରେ !
ତୋତେ ଯିଏ ଫୁଟାଇଲା
ଖରାରେ, ବର୍ଷାରେ,, କାକରେ
ଲହୁ ଲୁହ ଢାଳି,
ତୋ ବାସ୍ନା ପାଇବା ଆଗରୁ
ମାଳୀ ପୁଅ ତୋତେ ନେଲା ତୋଳି ॥

ଫୁଲ !
ବାଲୁଗାଁ ବୁର୍ଲା ବନ୍ଧୁକ ମୁନ ପାଇଁ
ନୁହେଁ ତୋର ଜାତ
ଦା'ଆ ର ଦନ୍ତୁରା ମୂନରେ
ହାତୁଡା ଉପରେ, କଲମ ମୂନରେ
ଚଢିବାକୁ ହେବ, ଲଢିବାକୁ ହେବ
ଗଢିବାକୁ ହେବ
ଦେଶ ଇତିହାସ ॥