ମହାନଦୀ

0
ମୃତ୍ୟୁଞ୍ଜୟ ବେହେରା
ଗୋନ୍ଦିଆ, ଢେଙ୍କାନାଳ

ମହାନଦୀ ଲୋ
ହୁଏତ ତୁ ଦିନେ ଥିଲୁ
ଯେତେବେଳେ ନଥିଲା
ସଭ୍ୟତା କି ସଂସ୍କୃତି
ଦେଶ କି ସହର
ସୀମା କି ସରହଦ... ବନ୍ଧ କି ବନ୍ଦର
ଅମରକଣ୍ଟକରୁ ବଙ୍ଗୋପସାଗର ଯାଏଁ
ଆପଣା ଇଚ୍ଛାରେ ବହି ଚାଲିଥିଲୁ ତୁ
ଛଳଛଳ... କଳକଳ ଆଉ ବେଫିକର

ମହାନଦୀ ଲୋ
ସେଦିନ ହୁଏତ ତୋ ପାଣିକୁ ଆଶ୍ରାକରି
ସୃଷ୍ଟିହେଲା ଜୀବନ ଶୃଙ୍ଖଳ
ଗହନ ବନାନୀର ପଶୁପକ୍ଷୀ
ଗଣ୍ଡରେ ମାଛ ଓ କୁମ୍ଭୀର
ତୋ କୂଳରେ ସୃଷ୍ଟି ହୋଇଥିଲା
କେତେ ତୃଣ ଆଉ ଶସ୍ୟ
ଆହାର ଖୋଜି ଖୋଜି ଦିନେ
ବସତି ସ୍ଥାପନ କରିଥିଲା ସେଠି
ଏ ଯାଯାବର ମଣିଷ


ମହାନଦୀ ଲୋ
ତୋରି ଆଖି ଆଗରେ ଘଟୁଥିବା
ଘଟଣା ସବୁ ଧୀରେ ଧୀରେ ପାଳଟୁଥିଲା
ପୁରାଣରୁ ପ୍ରତ୍ନତତ୍ଵ
ଶିଳାଲିପିରୁ ଶାସ୍ତ୍ର
କିମ୍ବଦନ୍ତୀରୁ ଇତିହାସ
ଆଉ ଗୋଷ୍ଠୀରୁ ଗଣତନ୍ତ୍ର
ପ୍ରକୃତିରେ ଯାବତୀୟ ବିପର୍ଯ୍ୟୟ
ଆଉ ସମୟର ବିବର୍ତ୍ତନ
ତୁ ତ ଅଭୟ ଦେଇଥିଲୁ ମଣିଷକୁ
ଜିତିବାକୁ ଜୀବନ ସଂଗ୍ରାମ

ମହାନଦୀ ଲୋ
ମା ପରି ପାଳିପୋଷି
ବଢାଇଥିଲୁ ଯେଉଁ ସଭ୍ୟତାକୁ
ସେହି ସଭ୍ୟତାର ଦାୟାଦ ଆଜି
ବିଦାରି ଦିଅନ୍ତି ତୋ ବୁକୁ
ଶିଳ୍ପବାଦ ଆଉ ପୁଞ୍ଜିବାଦର ଚକ୍ରାନ୍ତ
ଶାସକ ମାନଙ୍କର ରାଜନୀତି ସ୍ଵାର୍ଥ
ମନ୍ତ୍ରଣା ଚାଲିଛି ଏବେ
ଉଜାଡି ଦେଇ ତୋ ସଂସାର
ତୋ ଶବ ଉପରେ ଗଢାହେବ
ଶିଳ୍ପ ସଭ୍ୟତାର ରାଜନଅର
କିଏ ଜାଣେ ହୁଏତ ହଜିଯିବୁ
ତୁ ଦିନେ ଭୂଗୋଳ ପୃଷ୍ଠାରୁ
ପାଲଟି ଯିବୁ ତୁ ଗୋଟେ ଇତିହାସ
ହୃତ ଗୌରବର

Post a Comment

0Comments
Post a Comment (0)