ଅଧ୍ୟାପକ ବିଭୁତି ଭୂଷଣ ହୋତା
ଇଂରାଜୀ ବିଭାଗ, ଗୋଦାବରୀଶ ମହାବିଦ୍ୟାଳୟ, ବାଣପୁର


ମଣିଷର ମନର ସ୍ଥିତି, ଶରୀରର କେଉଁ ସ୍ଥାନରେ ଏହା ଏଯାବତ ଅନାବିଷ୍କୃତ । କିନ୍ତୁ ‘ମନ’ ଯେ ଅବଲମ୍ବନଶୀଳ, ଏହାର ସତ୍ୟତା ବହୁ ପରୀକ୍ଷିତ ଏବଂ ପ୍ରମାଣସିଦ୍ଧ । ଜୀବନ ଚାହେଁ ବଞ୍ଚିରହିବାକୁ ଏବଂ ବୃଦ୍ଧି ହୋଇ ଚାଲିବାପାଇଁ । ବହୁଗୁଣିତ ହୋଇ ବଢି ଚାଲିବା ପାଇଁ ପ୍ରତି ପ୍ରାଣ ଚାହେଁ । ଏଥି ସକାଶେ ଆବଶ୍ୟକ ଏକ ବୃହତ୍ତର ପ୍ରେରଣାପୁଷ୍ଟ, ଆପୁରିତ – ଅଭ୍ରାନ୍ତ ଅବଲମ୍ବନ, ମନ –ପ୍ରାଣ – ଜୀବନ ନିମିତ୍ତ । ଅବଲମ୍ବନ ଏକ, ଅଦ୍ଵିତୀୟ ଏବଂ ସଦା ବର୍ଦ୍ଧନମୁଖୀ ତଥା ବିବର୍ତ୍ତନ – ପୋଷଣି ହେବା ଜରୁରୀ । ଏହା ଅପରିବର୍ତ୍ତନୀୟ ଅବଶ୍ୟ । ଜଣେ ଜୀବନ୍ତ ଆଦର୍ଶଙ୍କୁ କେନ୍ଦ୍ରକରି, ବାସ୍ତବ କ୍ରିୟା କଳାପରେ ନିଜର ବୃତ୍ତି – ପ୍ରବୃତ୍ତି ଉପରେ ନିୟନ୍ତ୍ରଣ କରାଯାଇଥାଏ । ଫଳରେ ମନର ତରଙ୍ଗ ସମୂହକୁ ଆୟତ୍ତାଧୀନ କରାଯାଇଥାଏ । ସୁତରାଂ, ସୁଖ-ଦୁଃଖ, ବିପଦ-ଆପଦ, ଭଲ-ମନ୍ଦ ଆଦିର ଭାରସାମ୍ୟ ରକ୍ଷା କରାଯାଇଥାଏ ।


କେବଳ ଚିନ୍ତା ଓ କଥାର ପରିଧି ମଧ୍ୟରେ ଆଦର୍ଶ କେନ୍ଦ୍ରିକ ଜୀବନ ସୀମିତ ହୋଇ ପାରେନି । ଏହାର ପ୍ରୟୋଗ ବାସ୍ତବାୟିତ ହୋଇ ସାର୍ଥକ ହୋଇ ଉଠେ, କ୍ରିୟା କଳାପ ଓ କୃଷ୍ଟି ଜରିଆରେ । ଫଳରେ, ‘rate of becoming’ ରୁ ବିବର୍ତ୍ତନର ସାକ୍ଷ୍ୟ-ପ୍ରମାଣ ମିଳେ । ପଦ୍ୟର ଛନ୍ଦ ଭଳି ଲତା ପ୍ରାୟ ଗଜେଇ ଉଠି ବଢିଚାଲେ ଆପୁରିତ ହୋଇ ମଣିଷ ଜୀବନ, ଯେତେବେଳେ ତା’ର ମନ ପାଇଥାଏ ସ୍ଵଚ୍ଛ ଦର୍ପଣ ପ୍ରାୟ ଅଭ୍ରାନ୍ତ ଆଦର୍ଶଙ୍କୁ । ଯଦି ତା’ର ସେ ଆଦର୍ଶ ହୁଅନ୍ତି ସଦଗୁରୁ ତେବେ ତ ଏହା ତା’ର ଭାଗ୍ୟ, କାରଣ ସେ ସକ୍ରିୟ ଭାବେ ବିବର୍ତ୍ତନମୁଖୀ ହୋଇ ଉଠେ ପ୍ରବୃତ୍ତି ନିୟନ୍ତ୍ରଣ ଜରିଆରେ ।