
ଶରତ ଆସିଲା ମରତ ହସିଲା
ହସିଲା କୁଆଁରୀ ଜହ୍ନ,
ବାରିଦ ଭାସିଲା ଶିଶିର ଖସିଲା
ଉଲ୍ଲସିଲେ ତରୁତୃଣ ॥
ଶେଫାଳୀ ବାସିଲା ପଦ୍ମ ବିକଶିଲା
କୁମୁଦଟି ସରୋବରେ,
ଚାମର ବିଞ୍ଚିଲା ଶୁଭ୍ର କାଶତଣ୍ଡୀ
ନଈପଠା ଗୋହିରୀରେ ॥
ଦଶରା ଆସିଲା ମଣ୍ଡପ ସାଜିଲା
ପୁର ଗ୍ରାମ ନଗରୀରେ,
ଟମକ ବାଜିଲା ପୂଜାସଜ ହେଲା
ମାଆ ବିଜେ ଧରଣୀରେ ॥
ଦିଗ ନିରିମଳ କାଚକେନ୍ଦୁ ଜଳ
ତହିଁ ଖରା ଛାଇ ଖେଳ,
ସମୀର ବହିଲା ଶୀତଳତା ଘେନି
ମଧୁର ଶରତ କାଳ ॥
ଗୀତ ଶୁଭିଗଲା ବଉଳବେଣୀର
କୁଆଁର ପୁନେଇଁ ପୁଚି,
ଜୋଛନାରେ ଭରା ଜହ୍ନିଫୁଲ ତୋରା
କୁଆଁରୀ ମନଟି ନାଚି ॥
ତରୁଏ ହସିଲେ ଫୁଲଫଳ ଘେନି
ପକ୍ଷୀଏ ଗାଇଲେ ଗୀତ,
ସବୁଜିମା ଭରେ କେଦାରେ କେଦାରେ
ଶସ୍ୟରେ ହସିଲେ କ୍ଷେତ ॥
ଉତ୍ତରା ଶାସନ, କୌଶଲ୍ୟା ଗଙ୍ଗ, ପିପିଲି, ପୁରୀ
Now staying at - Washington, USA
VOL.IX, ISSUE.IX, SEPTEMBER-2025
Published By Banamallira Mahak
Beautiful writing
ReplyDelete