
ନିଜ ମୁଣ୍ଡଝାଳ ଆଉ ରକ୍ତର ଲାଲ ରଙ୍ଗ ମିଶେଇ,
ତିଆରି ହେଇଥିବା
ଗଅଣ୍ଠ ତାଟିଆ ନାଲି ଚା' ସହ
କେଇ ପଟ ଶୁଖିଲା ରୁଟି ଖାଇ ;
ନିଜ ଛୁଆଙ୍କୁ ନଅ ତୁଣ, ଛ' ଭଜା ଖୁଆଉଥିବା
ଲୋକଟିର ନାଁ - "ବାବା" ।
ସୂର୍ଯ୍ୟ ସହ ନିତି ଲୁଚକାଳି ଖେଳି
ସୂର୍ଯ୍ୟ ଉଇଁବା ଆଗରୁ ସେ ବାହାରିଯାଆନ୍ତି କାମକୁ ।
ନିଈତି ସୂର୍ଯ୍ୟବି ଲୁଚକାଳି ଖେଳରେ ତାଙ୍କଠୁ ହାରି
ହୋଇଯାଏ ଖପ୍ପା,
ସବୁଦିନ ସୂର୍ଯ୍ୟକୁ ହରାଇ ଦେଉଥିବା
ସେଇ ଲୋକଟିର ନାଁ - "ବାବା" ।
ମୁଁ କେବେ ପଚାରେନି ତାଙ୍କୁ
"ବାବା! ତୁମ ଦରମା କେତେ?"
କାରଣ, ମୁଁ ଜାଣିଛି
ତାଙ୍କ ହୃଦୟଟା ବଡ଼
ଆକାଶର କ୍ଷେତ୍ରଫଳ ଯେତେ ।
ଦୁନିଆ ଆଗରେ ନିଦା ପଥର ଭଳି ଟାଣ ସାଜି
ତୁମେ! ଏ ଜୀବନ ଯୁଦ୍ଧରେ କେବେ ପଛକୁ ଫେରିନ,
ତୁମ ପେଟତଳେ ଆମକୁ ବଞ୍ଚେଇ ରଖିଛ ।
ବାବା! ତୁମେ ଆଜି ବି ହାରିନ।
ଜଗତପୁର, କଟକ
ମୋ - ୭୭୩୫୭୬୩୦୫୪
VOL.IX, ISSUE.IX, SEPTEMBER-2025
Published By Banamallira Mahak