
ଜଳୁଛି ତପନ ଢାଳୁଛି ଅନଳ
ତପ୍ତ ସସାଗରା ଧରା,
ପରାଣ ଅଧୀର ସ୍ବେଦ ଅନର୍ଗଳ
ଆକୁଳ ଜଗତସାରା ।
ଦିନ ଦିପହରେ ଝାଞ୍ଜି ପବନରେ
ଶୁଖିଯାଏ ତଣ୍ଟି ପାଟି,
ଶୁଖିଯାଏ ପାଣି ଦୁଃଖୀ ଜନପ୍ରାଣୀ
ଜଳିଯିବ ସତେ ପୃଥ୍ୱୀ ।
ଦିନ ଲାଗେ ବଡ଼ ସରେ ନାହିଁ ଜମା
ବିଷମ ଲାଗେ ଜୀବନ,
ଛଟପଟ ହୋଇ ରାତି ଯାଏ ପାହି
ଜଳିଯାନ୍ତି ତରୁ ତୃଣ ।
ଦହି ସରବତ ଶାଗ ପଖାଳକୁ
ଭଜାଭଜି ପଡେ ଖୋଜା,
ନଈରେ ଗାଧୋଇ ତରଭୁଜ ଖାଇ
ପିଲାଏ ମାରନ୍ତି ମଜା ।
ପାଚିଲାଣି ଆମ୍ବ ପଣସ ସପୁରୀ
ତାଳସଜ ଲିଚୁକୋଳି,
ରଜ ସାବିତ୍ରୀର ମଉଜ ଭିତରେ
ଅସହ୍ୟ ଯେ ଗୁଳୁଗୁଳି ।
ହେଲେହେଁ ବିଷମ ଦାରୁଣ ଗ୍ରୀଷମ
ସୃଜିଥାଏ ମେଘମାଳ,
ଘୁରେଋତୁଚକ୍ର ସହି ଦୁଃଖ ସୁଖ
ଆତଯାତ ଚିର କାଳ ।
ଉତ୍ତରା ଶାସନ, କୌଶଲ୍ୟାଗଙ୍ଗ, ପିପିଲି, ପୁରୀ
VOL.IX, ISSUE.VIII, AUGUST-2025
Published By Banamallira Mahak