ଆଞ୍ଜୁଳା ମେଲି ଚନ୍ଦ୍ର ଚାହିଁଛି
କେବେ ଗୋ ଆସିବ ସହୀ
ପୂର୍ଣ୍ଣମୀ ରାତି ଆଲୋକିତ ଆଜି
ଆଲୋକିତ ଧରା ଭୂଇଁ..
କେବେ ଗୋ...
କଇଁ ଝୁରୁଅଛି ମୁକୁଳିତ ହୋଇ
ମୃଦୁ ମଳୟ କୁ ନେଇ
ବେପଥୁ ଉତ୍ତାଳ ତରଙ୍ଗ ଖୋଜୁଛି
ତୁମ ବାଟ ଚାହିଁ ଚାହିଁ
ଫେରିଆସ ଆସ ଆଗୋ କୁନ୍ତଳ କେଶୀ
ରାତ୍ରି ଯାଉଛି ପାହି..
କେବେ ଗୋ..
ପକ୍ଷୀ ଗୁଞ୍ଜରଣ ନୁପୁର ତାନ
ଭାବନା ଦିଏ ଜଗାଇ
ଆସିବ ଆସିବ ବୋଲି ମନକହେ
ଆଖି ଲୁହ ଯାଏ ବହି
ଝାଉଁଳି ଯାଉଛି ମନ ଦରପଣ
ମଉଳି ଯାଉଛି କଇଁ..
କେବେ ଗୋ..
ନିଡ ଛାଡି ଯିବ ଉଡ଼ିବା ଆଗରୁ
ଦିଅ ଜୀବନ ସଞ୍ଚରି
ଅଙ୍କୁରିତ ହେଉ ତୃଣ ମରୁ ମଧ୍ୟେ
ସିଞ୍ଚି ଦିଅ ଆଶା ବାରି
ମଳିନ ହେଲାଣି ଚନ୍ଦ୍ର ମୁଖ ଯେ
ବାଦଲ ଗଲାଣି ଛାଇ..
କେବେ ଗୋ..
ତରୁଲତା ଚାହେଁ ତୁମ ଆଗମନି
କାମନାର ତୃଷା ନେଇ
ଝରିପଡୁ ଥାଏ ଅକୁହା ବେଦନା
ଶିଶିର କଣିକା ହୋଇ
ଆସିବ କି ସତ କୁହ ଗୋ ପ୍ରେୟସୀ
ଚାହିଁଛି ଚାତକ ହୋଇ..
କେବେ ଗୋ ଆସିବ ସହୀ ।
ଠିକଣା - କୁଚିଣ୍ଡା, ସମ୍ବଲପୁର
VOL.IX, ISSUE.VIII, AUGUST-2025
Published By Banamallira Mahak

