ଶୀର୍ଷକ : ନାରୀ ସଶକ୍ତିକରଣ ପ୍ରଗତି ର ପ୍ରତୀକ
ବିଷୟ : ବିଶ୍ଵରେ ନାରୀଜାତି ଙ୍କ ସମ୍ମାନାର୍ଥେ ସାରା ଦେଶ ଓ ବିଦେଶରେ ପାଳିତ ହେଉଛି "ଆନ୍ତର୍ଜାତୀୟ ମହିଳା ଦିବସ"। ସର୍ବସମ୍ମତି କ୍ରମେ ଅର୍ଥାତ୍ ୧୯୭୫ ମସିହା ରୁ ଆରମ୍ଭ ହୋଇଥିବା ଏହି ମହାନ ଦିବସ ପ୍ରତିବର୍ଷ ଭଳି ମହିଳା ମାନଙ୍କୁ ଉତ୍ସର୍ଗ କରି ସେମାନଙ୍କ ର ଗୁରୁତ୍ୱ ଓ ଆବଶ୍ୟକତା ସମାଜରେ କେତେ ଯେ ଅଧିକ ଏହାକୁ ବିଭିନ୍ନ ବିଶ୍ଳେଷଣାତ୍ମକ ଢଙ୍ଗରେ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ବଜାର,ଦେଶ ଓ ବିଦେଶରେ ଆୟୋଜିତ ହେଉଛି ନାନା ରକମର ସଭା ସମିତି। ଏହାର ମୁଖ୍ୟ ଉଦ୍ଦେଶ୍ୟଟି ହେଉଛି, ସଚେତନତା ମାଧ୍ୟମରେ ନାରୀ ଜାତିର ଗାରିମା କୁ ଅକ୍ଷୁର୍ଣ୍ଣ ରଖିବା ସହିତ ପୁରୁଷ ଓ ନାରୀ ମଧ୍ୟରେ ଥିବା ଅସମାନତା କୁ ଦୂର କରିବା । ସଚଳାଚଳ ଦୁନିଆ ରେ ପୁରୁଷ ଓ ନାରୀ ପରସ୍ପର ପରସ୍ପର ର ପରିପୂରକ । ସୃଷ୍ଟି ର ଅୟମାରମ୍ଭରୁ ନାରୀ ଙ୍କୁ ଆଦ୍ୟ ବୋଲି କୁହାଯାଏ । ନାରୀ ବିନା ସୃଷ୍ଟି ଅଧୁରା । ନାରୀ ସର୍ବଶକ୍ତିମାନ ଏକଥା ବିଭିନ୍ନ ପୁରାଣ, ଗ୍ରନ୍ଥ ରେ ଉଲ୍ଲେଖ ଅଛି । ଜୀବନକାଳର ପରିଧି ମଧ୍ୟରେ ନାରୀ ର ଅନେକ ରୂପ, ସୃଷ୍ଟି ତିଷ୍ଠି ରହିବାରେ ବରଦାନ ସାବ୍ୟସ୍ତ ହୋଇଥାଏ । କେତେବେଳେ ମାଆ ର ପଣତକାନି ପୁଅ ପାଇଁ ଅଭୟଦାୟିନୀ ହୋଇଥାଏ । କେତେବେଳେ ଭଉଣୀ ର ରାକ୍ଷୀ ଭାଇ-ଭଉଣୀ ର ଅତୁଟ ବନ୍ଧନ କୁ ବଜ୍ର ଭଳି ଶକ୍ତ କରିପାରେ । ଆଉ କେତେବେଳେ ଜାୟା ରୂପରେ ସୁଖ-ଦୁଃଖ ସଂସାରରେ ଅନ୍ୟର ଜୀବନସାଥୀ ହୋଇ ବଂଶାନୁଗତିକ ପ୍ରଗତି ରେ ସହାୟକ ହୁଏ । ଏଭଳି ବହୁମୁଖୀ ଗୁରୁ ଦାୟିତ୍ୱ ତୁଲାଉଥିବା ନାରୀ ଙ୍କୁ ଅନନ୍ୟା ବୋଲି କୁହାଯାଏ । ଧୈର୍ଯ୍ୟ ରେ ନାରୀ ହିମାଳୟ ପରି ସ୍ଥିର ହୋଇଥିଲା ବେଳେ, ସ୍ନେହ ପ୍ରେମ ବାଣ୍ଟିବା ରେ ପ୍ରଶାନ୍ତ ମହାସାଗର ପରି ଅସୀମ ଓ ଅଗଭୀର । ସମାଜରେ ନାରୀ ର ସହଭାଗିତା ବାସ୍ତବରେ ଅବର୍ଣ୍ଣନୀୟ । କଥାରେ ଅଛି "ମା ହସିଲେ ଦେଶ ହସିବ" ତତ୍ ସହିତ ସମାଜ ର ସାମଗ୍ରିକ ଉନ୍ନତି ସାଧିତ ହେବ । ଏହାକୁ ଆଖିରେ ରଖି ବୋଧହୁଏ ନାରୀ ସଶକ୍ତିକରଣ ଭଳି ଏକ ଅଭିନବ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ପରବର୍ତ୍ତୀ ସମୟରେ ନାରୀ ସଶକ୍ତିକରଣ ଏକ ମହାଆନ୍ଦୋଳନ ରେ ପରିଣତ ହୋଇ "ପ୍ରଗତି ର ପ୍ରତୀକ" ବୋଲି ଉପଲବ୍ଧି ହୋଇଛି । ଆମ ଦେଶ ଭାରତ ଗଣତନ୍ତ୍ର ରେ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ବିଚକ୍ଷଣ ରାଜନୀତି କାହାକୁ ଅଛପା ନଥିଲା ବେଳେ ଶ୍ରୀମତୀ ପ୍ରତିଭା ଦେବୀ ସିଂ ପାଟିଲ୍ ପ୍ରଥମ ମହିଳା ରାଷ୍ଟ୍ରପତି ପଦ ମଣ୍ଡନ କରି ନାରୀ ଜାତି ପାଇଁ ଗୌରବ ଆଣିଥିଲେ । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ରୂପେ ଶ୍ରୀମତୀ ନନ୍ଦିନୀ ଶତପଥୀ ଙ୍କ ସାଲିସବିହୀନ ନୀତି ଓ ସୁଶାସନ ବଳରେ ଓଡ଼ିଶା ରାଜନୀତି ରେ ଅନେକ ପରିବର୍ତ୍ତନ, ଆଜି ବି ଲୋକଙ୍କ ହୃଦୟରେ ସତେଜ ଅଛି । ସାହିତ୍ୟ କ୍ଷେତ୍ରରେ ଡକ୍ଟର ପ୍ରତିଭା ରାୟ ଙ୍କ ଲେଖନୀମୁନ ଓଡ଼ିଆ ସାହିତ୍ୟକୁ କେତେ ଯେ ସମୃଦ୍ଧ କରିଛି ତାହା ଅବର୍ଣ୍ଣନୀୟ । ଗତ ଲୋକସଭା ନିର୍ବାଚନ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମହିଳାଙ୍କ ନେତୃତ୍ଵ ଉପରେ ଆସ୍ଥା ପ୍ରକଟ କରି ଜଣେ ସ୍ୱୟଂ ସହାୟକ ଗୋଷ୍ଠୀ ର ମୁଖ୍ୟାଙ୍କୁ ଲୋକସଭା ପଠାଇ ନାରୀ ସଶକ୍ତିକରଣ ରେ ଆଉ ଏକ ଅଧ୍ୟାୟ ଯୋଡ଼ିଛନ୍ତି । ନବ ନିର୍ବାଚିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନାରୀ ସଶକ୍ତିକରଣ ର ଏକ ନୂଆ ଅଧ୍ୟାୟ ସୃଷ୍ଟି କରି ବିଶ୍ୱବାସୀ ଙ୍କୁ ଚକିତ କରିଛନ୍ତି । ଫଳ ସ୍ୱରୂପ ପୃଥିବୀର ସର୍ବ ପୁରାତନ ଗଣତନ୍ତ୍ର ରାଷ୍ଟ୍ରରେ ଦ୍ୱିତୀୟ ସର୍ବୋଚ୍ଚ ଶାସନ ମୁଖ୍ୟ ବା ପ୍ରଥମ ମହିଳା ଉପରାଷ୍ଟ୍ରପତି ଭଳି ଗୁରୁ ଦାୟିତ୍ୱ କମଳା ହାରିସ୍ ଙ୍କୁ ଦେଇ ବିଶ୍ୱବାସୀଙ୍କୁ ନାରୀସଶକ୍ତିକରଣ ର ବାର୍ତ୍ତା ବାଣ୍ଟିଛନ୍ତି । ଏବେ ନାରୀ ଶକ୍ତି ପୃଥିବୀ ଗ୍ରହରେ ସୀମିତ ନ ରହି ପହଞ୍ଚିଲାଣି ମଙ୍ଗଳ ଗ୍ରହରେ । ଏହି ସଦ୍ୟ ପ୍ରକାଶିତ ତଥ୍ୟ ଅନୁସାରେ ମଙ୍ଗଳ ଗ୍ରହରେ ଅଵତରଣ କରିଥିବା ରୋଭର ର ପ୍ରକୃତ ବିନ୍ଧାଣି ଜଣେ ଭାରତୀୟ ବଂଶୋଦ୍ଭଵ ମହିଳା । ସୁତରାଂ ମହିଳା ମାନଙ୍କ ଏକାଗ୍ରତା ଓ ଦୃଢ଼ବିଶ୍ୱାସ ତାଙ୍କୁ ଆଜି ସଫଳତାର ଶୀର୍ଷ ରେ ପହଞ୍ଚାଇ ପାରିଛି । କଳା, ସାହିତ୍ୟ, ବାଣିଜ୍ୟ, ବିଜ୍ଞାନ, ଗବେଷଣା, କ୍ରୀଡ଼ା, ରାଜନୀତି ଓ ସମାଜ ସେଵା ଇତ୍ୟାଦି ରେ ପାରଦର୍ଶିତା ଦେଖାଇବା ସହିତ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ମହିଳାଙ୍କ ବଳିଷ୍ଠ ନେତୃତ୍ୱ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇପାରିଛି। ଦେଶ ଓ ରାଜ୍ୟ ର ବିଭିନ୍ନ ପ୍ରଶାସନିକ ସେବା ରେ ସାମିଲ ହୋଇ ଶାସନ କଳ କୁ ଅଧିକ ଶାଣିତ କରିପାରିଛନ୍ତି । ପୁରୁଷ କୈନ୍ଦ୍ରିକ ସମାଜ ରେ ନାରୀ ଯେ ଅବଳା କି ଦୁର୍ବଳା ନୁହଁନ୍ତି ଏକଥା ସମସ୍ତେ ସ୍ଵୀକାର କରି ସାରିଲେଣି । କୁହାଯାଏ ଶିକ୍ଷା ହେଉଛି ଏକମାତ୍ର ଅସ୍ତ୍ର ଯାହା ମହିଳାଙ୍କୁ ସମସ୍ତ ବିପଦରୁ ମୁକୁଳାଇପାରିବ । ନିସନ୍ଦେହ ରେ ସ୍ଵୀକାର କରିପାରିବା ଶିକ୍ଷା ହିଁ ପ୍ରଗତି ର ଉତ୍ସ । ଶିକ୍ଷା ର ପ୍ରଚାର, ପ୍ରସାର ପୂର୍ବ ଅପେକ୍ଷା ଢ଼େର ବଢିଛି । ଯଦି ଆମ ରାଜ୍ୟ କଥା ଦେଖିବା ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଗବେଷଣା ଠାରୁ ଆରମ୍ଭ କରି ପ୍ରଶାସନିକ କ୍ଷମତା ତୁଲେଇବାରେ ଅନେକ ମହିଳାଙ୍କ ସଫଳ ନେତୃତ୍ୱ ଶିକ୍ଷା ବିକାଶ ରେ ଦିଗବାରେଣି ସାବସ୍ତ ହୋଇପାରିଛି । ଆଉ ଯଦି ବେସରକାରୀ ବିଶ୍ୱବିଦ୍ୟାଳୟ କଥା ଆଲୋଚନା କରିବା ତେବେ ଆମ ରାଜ୍ୟ ରେ ହାତ ଗଣତିରେ ତିନି,ଚାରୋଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ, ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଓ ସଫଳ ନାରୀ ନେତୃତ୍ୱ କୁ ଆଲୋଚନା କଲେ, କିଟ ବିଶ୍ୱବିଦ୍ୟାଳୟ ସର୍ବାଗ୍ରେ ସ୍ଥାନ ପାଇବ । ବିଶ୍ୱବିଦ୍ୟାଳୟ କୁ "ଇନଷ୍ଟିଚ୍ୟୁଟ ଅଫ ଏମିନାନ୍ସ" ଭଳି ଗୌରବ ମୁକୁଟ ପିନ୍ଧେଇବା ସହିତ ଶିକ୍ଷାର ମାନଙ୍କୁ ବିଶ୍ଵଦରବାରରେ ପହଞ୍ଚାଇବାର ପ୍ରକୃତ ବିନ୍ଧାଣି ହେଉଛନ୍ତି ମହିଳା ଉପକୁଳପତି ଡକ୍ଟର ସସ୍ମିତା ସାମନ୍ତ । ବିଶ୍ୱବିଦ୍ୟାଳୟ ର ଏକାଧିକ ଜଟିଳ କାର୍ଯ୍ୟ ଓ ଗୁରୁ ଦାୟିତ୍ୱ ଯେପରିକି, ଜାତୀୟ ଓ ଆନ୍ତର୍ଜାତୀୟ ଭିତିକ ବିଭିନ୍ନ କର୍ମଶାଳା ଓ ସମ୍ମିଳନୀ ସଫଳତାରସହ ପରିଚାଳନା କରିବା, ବିଭାଗ ମାନଙ୍କରେ ହେଉଥିବା ଉଭୟ ଗବେଷଣା ଓ ପ୍ରକାଶନ କାର୍ଯ୍ୟ କୁ ତ୍ୱରାନିତ୍ଵ କରିବାସହ ଏହାକୁ ସଠିକ ମାର୍ଗ ରେ ପରିଚାଳନା କରିବା , ଛାତ୍ର ଛାତ୍ରୀ ଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା କୁ ତଦାରଖ କରିବା, ଶିକ୍ଷାର ଗୁଣବତ୍ତା କୁ ସଠିକ ମାର୍ଗରେ ପରିଚାଳନା କରି ବିଶ୍ୱବିଦ୍ୟାଳୟ ମାନ୍ୟତା କୁ ସର୍ବୋଚ୍ଚ ଶିଖରରେ ପହଞ୍ଚାଇ ପାରିଛନ୍ତି । ଏହା ସମ୍ଭବ ହୋଇପାରିଛି କେବଳ ତାଙ୍କର ଦୃଢ ନେତୃତ୍ୱ ଓ ଆତ୍ମବିଶ୍ବାସ ଯୋଗୁ । ତାଙ୍କର ଏ ମହତ ଗୁଣକୁ ପରଖି "ଇଣ୍ଡିଆନ୍ କମର୍ସ ଆସୋସିଏସନ" ତାର ଗୁରୁତ୍ୱପୂର୍ଣ୍ଣ ପଦ ସଭାପତି ଆସନ କୁ ଗଣତାନ୍ତ୍ରିକ ପଦ୍ଧତିରେ ରେ ସମର୍ପିତ କରିଛନ୍ତି । ଫଳରେ ନାରୀ ସଶକ୍ତିକରଣର ଏକ ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ପୁନଃଶ୍ଚ କିସ ବିଶ୍ୱବିଦ୍ୟାଳୟ ର କୁଳପତି ଭଳି ଗୁରୁ ଦାୟିତ୍ୱ ତୁଲାଇ ରାଜ୍ୟରେ ମହିଳା ମାନଙ୍କ ପାଇଁ ଆଉ ଉଦାହରଣ ପାଲଟିଛନ୍ତି । ତାଙ୍କର ଅହରହ ପ୍ରଚେଷ୍ଟା ରେ ବିଶ୍ୱବିଦ୍ୟାଳୟ ଗାରିମା ରେ ଅନେକେ ସୁନେଲି ଫର୍ଦ୍ଦ ଯୋଡ଼ିହୋଇ ଯାଉଛି । ତାଙ୍କ ଭାଷାରେ ନିଜର ଆତ୍ମବିଶ୍ଵାସ ସହିତ ଏକାଗ୍ରତା ହିଁ ସଫଳତାର ଚାବିକାଠି । ଯେକୌଣସି କାର୍ଯ୍ୟ କୁ ନିଷ୍ଠା ର ରୂପେ ତୁଲାଇଲେ ତାହା ସଫଳତାର ସ୍ଵାଦ ଦେଇଥାଏ । ପରିତାପର ବିଷୟ ଏହିକି ଯେ, ବର୍ତ୍ତମାନ ସମାଜରେ ନାରୀ ମାନଙ୍କ ପ୍ରତି କେତେ ଲୋକଙ୍କ ବଢ଼ୁଥିବା ଘୃଣ୍ୟ ପ୍ରବୃତି ଓ ଅସୌଜ୍ଜନ୍ୟ ଆଚରଣ କୁ ନେଇ ସମଗ୍ର ପୁରୁଷ ଜାତି ସମାଜ ରେ ନିନ୍ଦିତ ହେବାରେ ଲାଗିଛି । ଶିକ୍ଷିତ ସମାଜ ପ୍ରତି ଏହା ଶୁଭ ସଙ୍କେତ ହୋଇନପାରେ । ମାନସିକ ଚେତନା ର ଅବକ୍ଷୟ ଏ ଦିଗ କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଅତଏବ ନାରୀ ମାନଙ୍କ ପ୍ରତି ଅସୁୟା ଭାବ ତ୍ୟାଗକରି ସେମାନଙ୍କ ପ୍ରତି ଆସ୍ଥା ପ୍ରକଟ କରି ଆଗକୁ ବଢ଼ିବାର ସୁଯୋଗ ଦେଲେ ସମାଜରେ ନାରୀ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବା ସହିତ ଅସମାନତା ଭଳି ପୁରୁଷ ଓ ନାରୀ ମଧ୍ୟରେ ଥିବା ବିଭେଦ ସବୁଦିନ ପାଇଁ କବର ଦିଆଯାଇପାରିବ । "ନାରୀ ସର୍ବଦା ନମସ୍ୟ" ଏହା ହେଉ ସମସ୍ତଙ୍କ ହୃଦୟସ୍ପର୍ଶୀ ବାର୍ତ୍ତା ଓ ଭଲପାଇବା ।
ବିଭାଗ : ପ୍ରବନ୍ଧ
ଲେଖକଙ୍କ ନାମ : ଡକ୍ଟର ଅଜୟ କୁମାର ନନ୍ଦ
ଠିକଣା : Patia Bhubaneswar Odisha India
ଫୋନ : 985-367-3947
ଇମେଲ : ajayakumarnanda@gmail.com