ସତ କହିବାକୁ ଡରିବୁନି ଜମା
ଶିଖେଇଲେ ମୋତେ ମାଆ,
ସତ କହିବାରୁ ନିନ୍ଦା ଅପବାଦେ
ହୋଇଲି ଚର୍ଚ୍ଚା ମୁଁ ଯାହା ।

ସତକଥା କହି ସମ୍ପର୍କରେ ଫାଟ
ଦଳରୁ ହେଲି ବାହାର,
ଅଯୋଗ୍ୟ ମୁର୍ଖ ବୋକା ଶବଦେ
ଆଲୋଚନା ଜୋରଦାର ।

ସତ କହି ପୁଣି ନିର୍ବାସନ ଦଣ୍ଡ
ହେଲା ମୋ ଶେଷ ବିଚାର,
ଏତେ ଦଣ୍ଡ ପାଇ ଓହରି ଯାଇନି
ତୁଣ୍ଡ ସତ କହେ ମୋର ।

ସତ୍ୟପଥେ ଯାଇ ଆତ୍ମା ତୃପ୍ତ ହୁଏ
ମନ ସଦା ବିଚଳିତ,
ତିନି ତୁଣ୍ଡେ ଛେଳି କୁକୁର ପରିକା
ସଭିଙ୍କଠୁ ଗାଳି ଲାତ ।

ନେଡି ଗୁଡ଼ କହୁଣୀକୁ ବହିଗଲେ
ଆଉ ପାଏ ନାହିଁ ଜିଭ,
ପଛରେ ବୁଝିଲେ ଫେରି କି ଆସିବ
ପୂର୍ବର ସମ୍ପର୍କ ଭାବ ।

ଦିନରାତି ସୂର୍ଯ୍ୟ ଚନ୍ଦ୍ର ପରି ସତ୍ୟ
ସତ୍ୟ କେବେ ଲୁଚେନାହିଁ,
ମିଛ କହିବୁନି ସତ କହୁଥିବୁ
ମାଆ ଦେଇଛନ୍ତି କହି ।

ଦୟାମୟ ହରି ଏତିକି ସୁଦୟା
ସବୁବେଳେ ଥାଅ କରି,
ଆସୁ ଯେତେ ଝଞ୍ଜା କହୁଥିବି ସତ
ଯାଏ ପଛେ ମୁହିଁ ମରି ।।

ଫକୀରମୋହନ ନଗର, ବାଲେଶ୍ଵର