କିଛି ମାନେ ନାହିଁ
ଏ ହସ ଲୁହର,
ଖେଳ‌ କୁସ୍ତି ,ନାଟ ତାମସାର,
ଏ ଗୁଣୁଗୁଣୁ ଗୁଞ୍ଜନର
କ'ଣ କିଛି ବୋଲି କିଛି ମାନେ ନାହିଁ!

ଫୁଲ ମହକ,ଶବ ଦୁର୍ଗନ୍ଧ
ଆଲିଙ୍ଗନ ,ଚୁମ୍ବନ
ଆବାହନ,ବିସର୍ଜନ 
ସବୁ ଅର୍ଥହୀନ ,ଯାଦୁକରର
ଭୋଜ ବିଦ୍ୟା ପରି ଅଳୀକର
ସମ୍ମୋହନ! 

ସବୁ ମରିଚିକା ବୋଲି 
ଫେରେଇ ଦେଲା ପାଦ ଯେ
କେଇ ପାହୁଣ୍ଡ ପରେ 
ସାତ ସମୁଦ୍ରର‌ ସ୍ବପ୍ନ 
ଏବେ ଖାଲି ଲୁହର ମହାର୍ଣବ।

କୋଉ ବାଟ ଅଗମ୍ୟ
କୋଉ ଫଳ ଚର୍ବ୍ୟ ଚୋଷ୍ୟ ନୁହେଁ
କେଉଁ ପ୍ରେମ ଭୋଗ୍ୟ ନୁହେଁ,
କେଉଁ ଶୃଙ୍ଗ ଆରୋହ୍ୟ 
ନୁହେଁ ରାଜେନ୍ଦ୍ର?

ଏତେ ଜ୍ଞାନକୁ 
ଗଉଣୀ କାହିଁ ଅଗାଧୁ
ଏତେ ତପସ୍ୟାକୁ 
ଟିପ ବି କାହିଁ କୋଉଠି!

ଏଡେ ବଡ ଉପତ୍ୟକା
ବାସ ଯୋଗ୍ୟ ପୁରୁଷେ ମାଟି
ଦେହେ ପ୍ରେମ ପାଉନୁ ବୋଲି
କାନ୍ଦୁଛୁ ବୁକୁ ଫଟା କାନ୍ଦ!

ଆକାଶରୁ ପାତାଳ କେତେ
ଆଲୋକ ବର୍ଷ ଦୂର,
ପ୍ରେମରୁ ପାପ କେତେ ନିକଟ
ଭାବକୁ ଅଭାବ
ଭୋକକୁ ଭାତର 
ମୋତେ ଛୁଁ ଖେଳ
କ'ଣ ଖାଲି ଇନ୍ଦ୍ରିୟର ଭ୍ରମ!

ପାଖୁଡ଼ା ଖୋଲିନଥିବା
ମୁକୁଳ ଗର୍ଭରେ ଭଅଁରର
ବେଦମନ୍ତ୍ର ,
ମିଛରୁ‌ ମୋକ୍ଷର ଗର୍ଭଧାନ
ଅନ୍ଧାରିଆ ରାସ୍ତାର ଶେଷମୁଣ୍ଡରେ 
ଆଲୁଅଟେ ଶିଖା ହଲଉ ଥିବା
କ'ଣ ନିଶ୍ଚିତ !

ନର୍କର କବାଟ ବନ୍ଦ ହୋଇଗଲେ
ଆଉ ଗୋଟିଏ ନର୍କ
କ'ଣ ଖୋଲିଦିଏନା ବାଟ
ସ୍ବର୍ଗ କ'ଣ ଅଦୃଶ୍ୟ ହୋଇ ଯାଏନା
ଆପଣା ଛାଏଁ
ହାତମୁଠାରୁ କ'ଣ ଚାଲିଯାଏନା
ମୁଠାକ ପବନ!

ଗୋଟିଏ ନଈ ନ ସରୁଣୁ
କ'ଣ କାୟା ମେଲୁ ନ ଥାଏ 
ଆଉ ଗୋଟେ
ପ୍ରଳୟର ମହାସମୁଦ୍ର!

କିଛି ମିଛ ନୁହେଁ ମାଧବ
ଓଠର ରଙ୍ଗ ନାଲି
ପ୍ରେମର ରଙ୍ଗ ଗୋଲାପି
ସବୁବେଳେ ନୁହେଁ,
ନବଘନ ଓଝା ନବରଙ୍ଗରେ
ଆସେ,ଖେଳେ‌ ଖେଳାଏ
ହସେ ହସାଏ,କାନ୍ଦେ କନ୍ଦାଏ।

ତୁ ହସୁଥା,କାନ୍ଦୁଥା,
ସବୁ ସତ,କିଛି ମିଛ ନୁହେଁ
ନା ମିଛ ନୁହେଁ।
_____________________
ବିଭାଗୀୟ ମୁଖ୍ୟ, ପ୍ରାଣୀବିଜ୍ଞାନ
ମଧୁପୁର କଲେଜ, କଲଣ
ଯାଜପୁର, ମୋ-୯୪୩୮୧୪୦୯୯୯