କବିତା - ଏବେ କୁହନାହିଁ - ଶିବ ଚରଣ ମହାପାତ୍ର

0

ଫୁଟିଲା ପାଖୁଡା ଝରିନାହିଁ ମୋର
ମଧୂ ପିଆଲା ଯେ' ଭରି ନାହିଁ
ହସର ମଦିରା ସରିନାହିଁ ଏବେ
ବିଷ କଥା ଜମା କୁହନାହିଁ..!!

ଦରଫୁଟା ସୂର୍ଯ୍ୟ ମୁରୁକି ହସୁଛି
ହସରେ ଲାଲିମା ଭରି ନାହିଁ
ଫୁଲେଇ ଗୋଲାପ ବାଲିଘର ଖେଳ
ମୋ ସଙ୍ଗେ ଏଯାଏଁ କରି ନାହିଁ
ଯୌବନ ଜୁଆର ଥମିନାହିଁ ମୋର
ଉତ୍ତାଳ ତରଙ୍ଗ ଭରିନାହିଁ
ହସର ମଦିରା ସରିନାହିଁ ଏବେ
ବିଷ କଥା ଜମା କୁହନାହିଁ..!!

କାମିନୀ ସଙ୍ଗୀତେ ଅଧୂରା ଯାମିନୀ
ମଦମତ୍ତ ଏବେ ହେଇ ନାହିଁ
ବଳକା ଆୟୁଷେ ମଧୂର ସପନ
ବାସ୍ତବତା ରୂପ ନେଇ ନାହିଁ
ଦଦରା ଛାତିରେ ମାୟା ଆଭୂଷଣ
ସାଜି ନାହିଁ ଏବେ ସାଜି ନାହିଁ
ହସର ମଦିରା ସରିନାହିଁ ଏବେ
ବିଷ କଥା ଜମା କୁହନାହିଁ..!!

ପ୍ରଜାପତି ଡେଣା ରୂପ ଅହଂକାର
ଏଯାଏଁ ଯଦିଓ ରଖି ନାହିଁ
ଫଗୁଣ ଅବିର ବେରଙ୍ଗ ଲାଗୁଛି
ଇନ୍ଦ୍ରଧନୁ ଯେବେ ମାଖି ନାହିଁ
ଅଳିକ ସପନ କାଲିକି ରହିଛି
କାଲି କଥା କିନ୍ତୁ ଜାଣେ ନାହିଁ
ହସର ମଦିରା ସରିନାହିଁ ଏବେ
ବିଷ କଥା ଜମା କୁହନାହିଁ..!!

ବଢିଲା ନଈ ଟି ଫୁଲେଇ ବସିଛି
କାମନା ରଜନୀ ପାହି ନାହିଁ
ଘାଟ ପରେ ନାଟ ଉଦଣ୍ଡ ଚାଲିଛ
ନାଉରିଆ ନାଆ ବାହି ନାହିଁ
ସେପାଖ ସଜନୀ ରଜନୀ ରଜନୀ
ମୋ ବାଟେ ରହିଛି ବାଟ ଚାହିଁ
ହସର ମଦିରା ସରିନାହିଁ ସତ
(ଏବେ)ରହିବାର କଥା କୁହନାହିଁ..!!


ରଚନା : ଶିବ ଚରଣ ମହାପାତ୍ର

ଠିକଣା : ଚକ୍ରଧରପୁର, କେନ୍ଦୁଝର,   ଦୂରଭାଷ :

Post a Comment

0Comments
Post a Comment (0)