କବିତା - କାହିଁକି ଆସିବୁ ଲୋ ଝିଅ ? - ରମେଶ ଚନ୍ଦ୍ର ମିଶ୍ର

0

ଆସିବୁ ଆସିବୁ ବୋଲି ଭାବୁଛୁ ଯେ
କାହିଁକି ଆସିବୁ ଲୋ ଝିଅ
ତୁ ଯୋଉଠି ଅଛୁ
ଭଲରେ ଅଛୁ
ସେଇଠୁ ଫେରିଯାଆ
ଯୋଉଠୁ ଆସିଛୁ
ଏଠି ପରା ଯାତନା ଦୁଃସହ ।

ଏଇ ଦୁନିଆ ବାହାରକୁ
ଦେଖିବାକୁ ତ ବହୁତ ସୁନ୍ଦର
ସୂର୍ଯ୍ୟ, ଚନ୍ଦ୍ର, ତାରା
ନଦ ନଦୀ, ପ୍ରକୃତି, ସାଗର
ବନ, ଉପବନ ପୁଣି ହସନ୍ତ ଫୁଲରେ
ସବୁଠାରେ ଉଚ୍ଛୁଳା ସୌନ୍ଦର୍ଯ୍ୟ ସମ୍ଭାର
ବାହାର ଚାକଚକ୍ୟରେ
ଭୁଲିଯା'ନା ଲୋ ଝିଅ
ତୁ ଯେତିକି ଯେତିକି ବଡହବୁ
ବୁଝିନବୁ ଏ ଦୁନିଆ ବଡ ଭୟଙ୍କର,
ସବୁରି ମନରେ ମୁହଁରେ ପରା
ଛପିଅଛି ମଧୁର ଜହର ।

ମୁକ୍ତ ଆଲୋକ ତୁ ଦେଖିବା ପୂର୍ବରୁ
ଏଠି ତୋତେ ମାରିବାକୁ
ଲାଗିବ ମନ୍ତ୍ରଣା,
କୌଣସି ମତେ ଯଦି ବଞ୍ଚିଗଲୁ
ତୁ ଫୁଲ ହୋଇ ଫୁଟିବା ଆଗରୁ
ପଲ ପଲ ଦୁଷ୍ଟକୀଟ
ଦେବେ ତୋତେ ଅନେକ ଯନ୍ତ୍ରଣା,
ତୁ ଯେତେ ସାବଧାନ୍ ହେଲେ ବି
ହେବୁ ବାଟବଣା ।

ଏ ଦୁନିଆ ଲୋ ଝିଅ
ଏବେ ସାଜିଛି ଗୋଟେ
ମହୀରାବଣମାନଙ୍କର ହାଟ,
ଛବିରାଣୀଠୁ ଆରମ୍ଭ କରି
ନିର୍ଭୟା, କୁନ୍ଦୁଲି ଭଳି ଶହ ଶହ ଝିଅ
ଦୁର୍ଦ୍ଦଶାର ଯୂପକାଷ୍ଠ ତଳେ
ହେଉଛନ୍ତି ନିତି ଛଟପଟ,
ଏଠି ପରା ଅଛନ୍ତି ଲୋ ଝିଅ
ଅନେକ ଲମ୍ପଟ ।

ଫେରିଯାଆ ଫେରିଯାଆ ଲୋ ଝିଅ
ଏ ମାଟି କଳୁଷିତ ଆଜି
ଫୁଲଟିଏ ଡେମ୍ଫରେ ଫୁଟିବା ଆଗରୁ
ତାକୁ ଦଳିଚକଟି ଦେବାକୁ
ଚାହିଁଥାନ୍ତି ଅନେକ ସିମ୍ପାଜି ।
ଯଦି ତୁ ଭାବୁଛୁ ନିହାତି ଆସିବୁ
ତେବେ ଆସ୍, ବରପ୍ରାପ୍ତ ହୋଇ
ଦଶ ପ୍ରହରଣଧାରୀ ମହାମାୟା ସାଜି ।


ରଚନା : ରମେଶ ଚନ୍ଦ୍ର ମିଶ୍ର

ଠିକଣା : ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ । ଦୂରଭାଷ : ୯୪୩୮୪୮୧୧୩୬

Post a Comment

0Comments
Post a Comment (0)