
ଇଚ୍ଛିଲେ ଅନନ୍ତ ଏ ବ୍ରହ୍ମ ସମ୍ଭୁତ
ରଶ୍ମି ସଞ୍ଚରିଲା ଗର୍ଭେ
ଗୁପ୍ତ କକ୍ଷେ ଲୁପ୍ତ ଅନ୍ଧକାରେ ସୁପ୍ତ
ଜ୍ୟୋତି ପ୍ରକାଶିଲା ପୂର୍ବେ ll
ସଂଯୋଗୀ ସାମର୍ଥ୍ୟ ଚିନ୍ତି ପରମାର୍ଥ
ଥୋଇଲେ ଦେହେ ଜୀବନ
ଜଗତ କଲ୍ୟାଣେ କର୍ତ୍ତବ୍ୟ ସାଧନେ
ଭରିଦେଲେ ବୁଦ୍ଧି ଜ୍ଞାନ ll
କଳୁଷ ରହିତ ବିଶୋଧିତ ଚିତ୍ତ
ମାୟା ବିହୀନ ହୃଦୟ
ସରଳ ବିମଳ ମାନସ ନିର୍ମଳ
ଭୁବନେ ହେଲା ଉଦୟ ll
ଦେଖିଲା ଏ ନେତ୍ର ଶୋଭା ଦିବାରାତ୍ର
ସଂସାରର ଲୀଳାଖେଳା
ନିୟତିର ସ୍ରୋତେ ଭାସିଲି ଜଗତେ
ଢେଉ ଗଣୁଥିଲା ଭେଳା ll
ଜୀବନେ ଅଶେଷ ବିରଚି ବିଳାସ
ପଥଭ୍ରଷ୍ଟ ହେଲା ଲକ୍ଷ
ଭୁଲିଲି ପ୍ରତିଜ୍ଞା ଆଦିଦେବ ଆଜ୍ଞା
ଆଉ କି ଲଭିବି ମୋକ୍ଷ ll
ଆପଣାର ପଣେ ଆଖପାଖ ଜନେ
ଭାବୁଥିଲି ମୋର ବଳ
ଚଖାଇ ପୀୟୂଷ ପେଉଥିଲେ ବିଷ
ଅନ୍ତରରେ ଥିଲା ଛଳ ll
ଜାଣି ମୁଁ ଅଜଣା ହେଲି ବାଟବଣା
ଭଲ ନଚିନ୍ତିଲା ମନ
ନିଃସ୍ୱାର୍ଥ ପାବନ ସମାଜ କଲ୍ୟାଣ
ନଥିଲା ତହିଁରେ ଧ୍ୟାନ ll
ଅପକର୍ମେ ଲିପ୍ତ ସମୟ ପର୍ଯ୍ୟାପ୍ତ
ବିଳାଶରେ ଗଲା ସରି
ପରମନ୍ଦ ପାଞ୍ଚି ପାପ ଧନ ସଞ୍ଚି
ମଣୁଥିଲି ଦଣ୍ଡଧାରୀ ll
କେତେଯେ ଗରିଷ୍ଠ ମୋ ଠାରୁ ବରିଷ୍ଠ
କେତେ ମହା ମହିପାଳ
ହେଲେଣି ପାଉଁଶ ଦେଖିଯିବା ଆସ
ମଶାଣୀର ବୁକୁ ତଳ,
କି ପାଇଁ ମିଛ ଗାରୀମା
ସକଳ ଗରବ ଦିନେ ହେବ ଖର୍ବ
ସବୁଥିରେ ଥାଏ ସୀମା ll
