ବୋହୂ ଆମପାଖେ ରହିବନି କୁହେ
ଝାମେଲା ହେଉଛି ଭାରି
ପୁଅକୁ କହୁଛି ଅଲଗା ନହେଲେ
ଜୀବନ ଦେବି ମୁଁ ହାରୀ ।
ଝିଅଟା ମୋହର ପଢ଼ି ପାରୁନାହିଁ
ବୁଢ଼ା ବୁଢ଼ୀଙ୍କର ପାଖେ
ଯେତେବେଳେ ଖୋଜ 'ଶ୍ରେୟା"କୁ ଆମର
ପାଇବ ବୁଢ଼ୀମା' କାଖେ ।
ବୁଢ଼ାଟାର କାଶ ବଢ଼ିବଢ଼ି ଯାଏ
ବୟସ ହେଲାଣି ଅଶୀ
ଶୋଇବି କି ଅବା ଶାନ୍ତିରେ , ଜାଣିବ
ଘରେ ମୁଁ ପାରୁନି ପଶି ।
ଲାଗିଲାଣି ଅଣନିଶ୍ୱାସୀ ନିଜକୁ
କରୁ କରୁ ତାଙ୍କ ସେବା
ଅଲଗା ଜାଗାରେ ରହିଲେ ଅନ୍ତତଃ
ରିଲାକ୍ସ ଟିକିଏ ହେବା ।
ମରିଗଲେ ପଛେ ଏଠାକୁ ଆସିକି
ହୋଇବା ତାହାଙ୍କୁ ଶୁଦ୍ଧି
ଏବେ କିନ୍ତୁ ଯାହା ଅସୁବିଧା ଘଟେ
ହଜି ମୋ ଗଲାଣି ବୁଦ୍ଧି ।
ବାପାଙ୍କୁ ମୋହର କହିଛି ଏ କଥା
ସିଏ ବି ଅଛନ୍ତି ରାଜି
ଅଘଟଣ କିଛି ଘଟିବା ଆଗରୁ
ଚାଲ ପଳେଇବା ଆଜି ।


ରଚନା : ଶିଶିର କୁମାର ପଣ୍ଡା

ଠିକଣା : କୁଆଁସ, ମେରଦା କାଟିଆ, ଯାଜପୁର,  ଦୂରଭାଷ : ୮୯୮୧୭୩୭୨୨୮