ନବବର୍ଷ ଆସୁଛି ବୋଲି
ଡିଣ୍ଡିମ ବାଜିଲାଣି
ମେଦିନୀ କମ୍ପାଇ ଡିଜେ ବାଜାର ତାଳେ ତାଳେ
ପିଲାମାନଙ୍କ ଉଦ୍ଦଣ୍ଡ ନୃତ୍ୟ
ଆରମ୍ଭ ହେଲାଣି,
ଯୁବମହଲରେ ଆନନ୍ଦ ଅପାର
ବଡ଼ ମ୍ୟାଚ ଜିତିଛନ୍ତି ଯେପରି,
ଗୋଡ଼ ତାଳରେ ପଡ଼ୁ ବା ନପଡୁ
ବିଭିନ୍ନ ଠାଣିରେ ନାଚ
କ'ଣ ନା - ଜିରୋ ନାଇଟ୍ ସେଲିବ୍ରେସନ୍,
ଇଏ ତ ଟ୍ରେଲର୍ ମାତ୍ର
ଆଗକୁ କଣ ହେବ କେଜାଣି !

ବସିର୍ ମିଆଁର କଂସେଇଖାନା,
ଭାରି ଗହଳି ଚହଳି
ବଡ଼ି ଭୋରରୁ ଦୁଇ ତିନୋଟି ଝୁଲୁଛନ୍ତି
ସାମ୍ପୁଲ୍ ମାନେ ଚୋପା ଛଡା ହୋଇ,
ଏଣେ ଦୁଇ ତିନୋଟି ବନ୍ଧା ପ୍ରାଣୀ
ବଡ଼ ବିକଳରେ
ନିରୁପାୟ ଅସହାୟ ହୋଇ
ଚାହିଁ ରହିଛନ୍ତି ,
ମଝିରେ ମଝିରେ କରୁଣ ଭାବରେ
ମେଁ ମେଁ ଚିତ୍କାର ସହ
ପ୍ରାର୍ଥନା କଣ୍ଠରେ
ଜୀବନର ଭିକ୍ଷା ମାଗୁଛନ୍ତି ।

ଏଇଠି ଆନନ୍ଦ
ଜିରୋ ନାଇଟ୍ ସେଲିବ୍ରେସନ୍ ର
ଡିଜେ ବାଦ୍ୟ ନାଚ ଗୀତର
ଭୋଜିର ଆସର
ବିଭିନ୍ନ ନାମୀଦାମୀ ବ୍ରାଣ୍ଡ
ପାନୀୟର ସଦ୍ ବ୍ୟବହାର ।

ସେଇଠି କିନ୍ତୁ
ମୃତ୍ୟୁ ର ଶୀତଳତା
ଭାଷାହୀନ
ନିରୀହ ପ୍ରାଣୀ ମାନଙ୍କର
କରୁଣ ଚିତ୍କାର ।

ହେ ମଣିଷ
ସଜାଗ ହୁଅ
ବୁଦ୍ଧ ମହାବୀର ବାପୁଙ୍କ
ଆଦର୍ଶକୁ ମନେ ପକାଅ
ତ୍ୟାଗକର ନିଷ୍ଠୁରତା
ବ୍ରତକର ଅହିଂସାର,
ଜୀବେ ଦୟାର
ତ୍ୟାଗ କର ବର୍ବରତା
ନିଜେ ବଞ୍ଚି ଅନ୍ୟକୁ ମଧ୍ୟ
ବଞ୍ଚିବାକୁ ଦିଅ ।

ଘନଶ୍ୟାମ ସାହୁ
ସହ-ସମ୍ପାଦକ -- ତ୍ରିଧାରା ସାହିତ୍ୟ ସଂସଦ
ବଇଣ୍ଡା, ଜିଲ୍ଲା ଅନୁଗୋଳ
ମୋବାଇଲ ନମ୍ବର -- ୭୯୭୮୦୫୭୬୯୫


ରଚନା : ଘନଶ୍ୟାମ ସାହୁ

ଠିକଣା : ବଇଣ୍ଡା, କିଶୋର ଗଞ୍ଜ, ଅନୁଗୋଳ,  ଦୂରଭାଷ : ୭୯୭୮୦୫୭୬୯୫