କବିତା - ମିଳନ : ଏକ ଦିବ୍ୟ ଅନୁଭବ - ପ୍ରଦୀପ କୁମାର ପ୍ରଧାନ

0
ତୁମକୁ ଭୂଳିବାର ନିଷ୍ପତ୍ତି ନେଇ
ଆଗକୁ ବଢ଼ିବାର ସଂକଳ୍ପ କରିଥିଲି
ହେଲେ, ମୁଁ କଅଣ ଜାଣିଥିଲି
ତୁମକୁ ଭୁଲିବାର ଅପଚେଷ୍ଟାରେ
ତୁମକୁ ନୂତନ ଭାବରେ
ଆବିଷ୍କାର କରିବି ବୋଲି?
ଏକ ସୁଖଦ ଅନୁଭୂତିକୁ ସାଉଁଟିବି ବୋଲି?? ।।

ମୁଁ ତୁମକୁ ଯେତିକି ଭୁଲିବାକୁ ଚେଷ୍ଟା କରୁଥିଲି
ତୁମକୁ ସେତିକି ନିକଟରେ ପାଉଥିଲି
ସତେ ଅବା ମୋର ମନର ପରିଧି ଭିତରକୁ
ତୁମେ ଧସେଇ ପଶି ଆସୁଥିଲ
ନିଜର ଅଧିକାର ଜାହିର କରିବାପାଇଁ ।।

ତୁମର ପ୍ରତିଟି ଭୁଲ୍ କୁ ସୁଧାରିବାର
ଅଭିଳାଷ ନଥିଲା, କୋମଳ ନିଷ୍ପାପ ଶିଶୁଟିର
ଭୁଲ୍ ପରି ଭୁଲିବାକୁ ଇଚ୍ଛା ହେଉଥିଲା,
ତୁମର ପ୍ରତିଟି ଆଚରଣ ଖୁବ୍ ଭଲ ଲାଗୁଥିଲା,
ତୁମ ହସରେ ମାଦକତା, ଦୁଷ୍ଟାମିରେ ଆତ୍ମୀୟତା
ଏବଂ ଚପଳତାରେ ସରଳତାର ଅନୁଭବ
ମୋ ମନକୁ ଛୁଇଁ ଯାଉଥିଲା ।।

ତୁମ ଅନାବିଳ ପ୍ରେମର ମହନୀୟତା
ଆମ ବିଛେଦର ଭୌଗୋଳିକ ଦୁରତ୍ୱକୁ
ନ୍ୟୁନ କରି ଦେଉ ଥିଲା,
ଆମ ବିଚ୍ଛେଦଟା ଆମର ପ୍ରକୃତ ମିଳନ ଥିଲା-
ମନ ସହ ମନ, ଆତ୍ମା ସହ ଆତ୍ମାର ମିଳନ
ଏକ ସ୍ୱର୍ଗୀୟ ଦିବ୍ୟ ଅନୁଭବ ଥିଲା !! ।।

ରଚନା : ପ୍ରଦୀପ କୁମାର ପ୍ରଧାନ

ଠିକଣା : ଅଧ୍ୟାପକ, ଇଂରେଜୀ ବିଭାଗ, ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର,  ଦୂରଭାଷ : ୮୭୬୩୬୨୯୨୮୨

Post a Comment

0Comments
Post a Comment (0)