ଉତ୍ଥାନ ପତନ ଜୀବନ ତ ଏହି
ଭାବି ପାରୁନାହିଁ କେହି
ଆଜି ଅଛି ପୁଣି କାଲିକି ନ ଥିବ
ଦେଉଛି ତୁମକୁ କହି ।
ତଥାପି ମଣିଷ କରୁଅଛି ଗର୍ବ
ଅଢେଇ ଦିନକ ପାଇଁ
ବାଟ ସରିଗଲେ ବାଟୋଇଟି ଭାବେ
ହେଲିଣି ମୁଁ ଧଇଁସଇଁ ।
ହାଟ ସରିଗଲେ ହାଟୁଆ ଫେରଇ
କେତେ ଗପସପ ହୋଇ
ସରିଯିବ ଦିନେ ହାଟତ ଆମ୍ଭର
ନ ଡାକିବେ କେହି ଭାଇ ।
ହାଟ କରିବାକୁ ଆସିଥିଲେ ଦିନେ
ଉଲଗ୍ନ ହୋଇ ମହୀକୁ
ହାଟ ପରିବର୍ତ୍ତେ ନାଟ କରି କରି
ଚାଲିଯିବା ମଶାଣିକୁ ।
ଜନ୍ମ ବେଳେ ଶେଯ ମାଆ କୋଳ ଥିଲା
ଆନନ୍ଦରେ ନାଚୁଥିଲେ
ମଲାବେଳେ କେହି ସାଙ୍ଗରେ ଯିବାକୁ
ସମସ୍ତେ ତ ଭୁଲିଗଲେ ।
ଧନୀରୁ ଗରୀବ ଗରୀବକୁ ଧନୀ
ସାଜିଲେ ଏହି ମହୀରେ
ପରକୁ ଆପଣା ଆପଣାକୁ ପର
ସ୍ଥାନିତ କଲେ ହୃଦରେ ।
ଦିନ ପରେ ରାତି ରାତିପରେ ଦିନ
ଲାଗିଛି ସଦା ମହୀରେ
ଆଜି ଯିଏ ରାଜା କାଲିକି ଫକୀର
ଯାହା ଲେଖିଛି ବିଧିରେ ।
ସରସ ସୁନ୍ଦର ଜୀବନକୁ ଆମ୍ଭେ
କରୁ କେତେ ହୀନିମାନ
ସାମାନ୍ୟ ଟିକିଏ ସ୍ବାର୍ଥ ପାଇଁ ଆଜି
ଭୁଲି ଯାଉଛୁ ସମ୍ମାନ ।
ନିଜ ହାତ ଗଢା ସମ୍ପର୍କକୁ କେବେ
ଇଚ୍ଛାରେ ଭାଙ୍ଗି ଦିଅନା
ଜୋର କରି କେବେ କାହାରି ସହିତ
ସମ୍ପର୍କ କେଵେ ଯୋଡନା ।
ଯୋଡିଲେ ସମ୍ପର୍କ ହୋଇବ ଅମନ
ବାଧିବ ଜାଣ ଆତ୍ମାକୁ
ଫଟା ହାଣ୍ଡି କେବେ ହେବନି ସହାୟ
ଯେତେ ମାଠିଲେ ତାହାକୁ ।
ବହିଯାଏ ପାଣି ତଳକୁ ତଳକୁ
ସାଗରେ ମିଶିବା ପାଇଁ
ତଳପାଣି କେବେ ଉର୍ଦ୍ଧ୍ଵକୁ ଯାଏନା
ଯାହା ଲେଖିଛି ଗୋସାଇଁ ।
ତଥାପି ଆମେରେ କରୁଅଛେ ଗର୍ବ
ପ୍ରିୟାପ୍ରୀତି ଭୁଲିଯାଇ
ଉତ୍ଥାନ ପତନ ଜୀବନତ ଏହି
କାହାକୁ ଡାକିବି ଭାଇ ।।
0 Comments
You can write now your valuable comments here. Off-topic comments may be removed or deleted without prior notice.