ମହାଭାରତ ସମୟର ମହାରାଣୀ ଗାନ୍ଧାରୀ ହେଉଛନ୍ତି ଅନ୍ଯତମ ମୁଖ୍ୟ ଚରିତ୍ର । ଅନ୍ଯ ସମସ୍ତ ଚରିତ୍ର ଅପେକ୍ଷା ଜଣେ ପତିବ୍ରତା ନାରୀ ଭାବେ ସେ ବେଶୀ ପରିଚିତା । ଗାନ୍ଧାରୀ ଗାନ୍ଧାର ନରେଶ ମହାରାଜା ସୁବଳଙ୍କର ଏକମାତ୍ର ଝିଅ ଥିଲେ । ଗାନ୍ଧାର ପ୍ରଦେଶର ଏକ ମାତ୍ର ରାଜକୁମାରୀ ହୋଇଥିବାରୁ ପିତା ଅତି ଶ୍ରଦ୍ଧାରେ ତାଙ୍କ ନାଁ ଗାନ୍ଧାରୀ ରଖିଥିଲେ । ପରବର୍ତ୍ତୀ ସମୟରେ ପିତାମହ ଭୀଷ୍ମ ମହାରାଜା ଧୃତରାଷ୍ଟ୍ରଙ୍କ ସହ ତାଙ୍କର ବିବାହ କରାଇଥିଲେ । ରାଜା ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ ଥିଲେ । ତୃଣୁ ପତ୍ନୀ ଗାନ୍ଧାରୀ ନିଜ ପତିଙ୍କ ପାଇଁ ବଳିଦାନ ଦେଇ ଆଜୀବନ ନିଜ ଆଖିରେ ପଟି ବାନ୍ଧିବାକୁ ଦୃଢ ପ୍ରତିଜ୍ଞା ନେଇଥିଲେ । ସ୍ବାମୀ ପାଇଁ ଏପରି ତ୍ଯାଗ ଇତିହାସରେ ହୁଏତ ଖୁବ୍ କମ୍ ନାରୀ ହିଁ କରିଥିବେ । 
       କିନ୍ତୁ ହୁଏତ କମ୍ ଲୋକ ଜାଣିଥିବେ ଜୀବନ ସାରା ଆଖିରେ ପଟି ବାନ୍ଧିବାର ଦୃଢ ପଣ ନେଇଥିଲେ ମଧ୍ୟ ନିଜ ଜୀବନ କାଳ ଭିତରେ ସମୁଦାୟ ୨ ଥର ଏହି ପ୍ରତିଜ୍ଞାକୁ ସେ ଭାଙ୍ଗିଥିଲେ । ତେବେ ଆସନ୍ତୁ ଜାଣିବା କେଉଁ ଘଟଣା ମାନ ସତୀ ଗାନ୍ଧାରୀଙ୍କୁ ନିଜ ନିୟମ ଭାଙ୍ଗିବାକୁ ବାଧ୍ୟ କରିଥିଲା । ଶହେ ଭାଇ କୌରବଙ୍କ ମା' ଗାନ୍ଧାରୀଙ୍କର ଭଗବାନ ମହାଦେବ ଶିବଙ୍କ ଉପରେ ଗଭୀର ଆସ୍ଥା ଓ ବିଶ୍ଵାସ ଥିଲା । ତାଙ୍କୁ ଭଗବାନ ଶିବଙ୍କ ଠାରୁ ବରଦାନ ମିଳିଥିଲା କି ଯେବେଵି ସେ ନିଜ ଆଖିର ପଟି କାଢି କାହାକୁ ଦେଖିବେ ତାଙ୍କ ପୁରା ଶରୀର ଲୁହା ପରି ଟାଣ ହୋଇଯିବ । ପୁତ୍ର ମୋହରେ ଅନ୍ଧ ହୋଇ ଗାନ୍ଧାରୀ ମହାଭାରତ ଯୁଦ୍ଧ ସମୟରେ ନିଜ ପୁତ୍ର ଦୁର୍ଯ୍ୟୋଧନଙ୍କୁ ଉଲଗ୍ନ ଅବସ୍ଥାରେ ଦେଖିବେ ବୋଲି ଠିକ୍ କରିଥିଲେ । ଯାହାଦ୍ବାରା ତାଙ୍କ ଶରୀର ଲୁହା ଭଳି ଟାଣ ହୋଇଯିବ । 
       ଏଥିପାଇଁ ସେ ପ୍ରଥମ ଥର ନିଜ ଆଖିର ପଟି ବାହାର କରିଥିଲେ । କିନ୍ତୁ ଲଜ୍ଜା କାରଣରୁ ଦୁର୍ଯ୍ୟୋଧନ ନିଜ ଗୁପ୍ତାଙ୍ଗରେ ଏକ କଦଳୀ ପତ୍ର ରଖି ଦେଇଥିଲେ । କିନ୍ତୁ ଦୁର୍ଯ୍ୟୋଧନଙ୍କ ଏହି ଭୁଲ୍ ପରବର୍ତ୍ତୀ ସମୟରେ ତାଙ୍କ ମୃତ୍ୟୁର କାରଣ ପାଳଟି ଥିଲା । ଏହାବାଦ ମହାଭାରତ ଯୁଦ୍ଧର ଶେଷ ଦିନ ନିଜ ପଟି ବାହାର କରିଥିଲେ । ନିଜ ପ୍ରିୟ ପୁତ୍ର ଦୁର୍ଯ୍ୟୋଧନ ଗଭୀର ଆହତ ହୋଇଥିବାର ଖବର ଶୁଣି ସେ ନିଜ ଆଖିର ପଟି ବାହାର କରିଥିଲେ ।

ସଂଗ୍ରହକାରୀ - ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର, ମୋ-୯୮୫୩୧୪୨୫୧୦