ତୁମରି ଭାବରେ ଏ ଜଗତ ବନ୍ଧା
ତୁମେ କାହା ଭାବେ ମଗ୍ନ ,
ଅଟକି ଗଲାଣି ବଇଁଶୀର ସୁର
ଧ୍ୟାନ ଏବେ କର ଭଗ୍ନ  ।

ମୋହନ ବଂଶୀର ତାନ ଶୁଣିବାକୁ
କେତେ ଡେରିଛନ୍ତି କାନ ,
ତରୁଲତା ସହ ଶୁକ,ପିକ,ଶଶା
ମୟୂର ,ମଧୁପ ଗଣ ।

ଏ ବଂଶୀ ନାଦରେ କି କୁହୁକ ଅଛି
ଶୁଣିବାକୁ ସର୍ବେ ବାଇ ,
କାମଧାମ ଛାଡ଼ି ଗୋପଙ୍ଗନା ଯେତେ
ଆସନ୍ତି ବାଉଳି ହୋଇ ।

ମୃଗମାନେ ତୃଣ ଚାପିଣ ରହନ୍ତି
ଗୋରୁ ଡେରିଥା'ନ୍ତି କାନ ,
ମନେ ହୁଏ ସର୍ବେ ଶୁଣୁଛନ୍ତି ଯେହ୍ନେ
ସୃଷ୍ଟିର ମଧୁର ତାନ ।

ସେଇ ସୁରେ ମୋତେ ମଜ୍ଜାଇ ଦିଅ ହେ
ଭଜୁଥିବି କୃଷ୍ଣ କୃଷ୍ଣ ,
ଆଉ କେଉଁଥିରେ ନ ବଳିବ ଚିତ୍ତ
ତୁମ ପଦେ ଥିବ ଧ୍ୟାନ ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।