ଶିଶୁ କବିତା - ଚମତ୍କାର - ଘନଶ୍ୟାମ ସାହୁ

0

ଆତୁରେ ଅନାଇଁ ମାଆଟିଏ
ପୁଅର ଫେରିବା ଚାହିଁଥାଏ
ଅଳପ ସମୟେ ଫେରି ବିଦ୍ୟାଳୟୁ
ଦେଖିଲା ଜନନୀ ବ୍ୟସ୍ତ ହୁଏ ।

"କି ହେଲା ରେ ଧନ କହ ମୋତେ
ସୁଖିଛି ତୋ ମୁଖ କାହିଁ କେତେ
ଅଘଟଣ କିଛି ଘଟିଛି କି ସେଠି
କହିଲେ କି କେହି କଟୁ ତୋତେ ?"

ପିଲାଟି କହିଲା, "ଚିନ୍ତା ନାଇଁ
ଚିଠି ଆଣିଅଛି ତୋହ ପାଇଁ
ଗୁରୁଜୀ କହିଲେ ମାଆକୁ ଦେବାକୁ
ପଢ଼ି କୁହ ମାଆ ମୋତେ ତୁହି ।"

ପଢିଲେ ଜନନୀ ଆଗ୍ରହର
ଗଡ଼ିଯାଏ ଅଶ୍ରୁ ଦୁଇ ଧାର
"କି ହୋଇଛି ଲେଖା କହ ଲୋ ଜନନୀ !"
ବୋଲି କହେ ପୁଅ ବାର ବାର ।

ଜନନୀ କହିଲେ, "ଶୁଣ ବାବୁ
ଲେଖିଛନ୍ତି ଗୁରୁ ଯାହା ସବୁ
ତୋ ଭଳି ମେଧାବୀ ନାହିଁ କେହି ସେଠି
ତେଣୁ ମୋଠାରେ ତୁ ପଢ଼ୁଥିବୁ ।"

ବଡ଼ ହେଲା ଦିନେ ସେହି ପିଲା
ବଡ଼ ବୈଜ୍ଞାନିକ ବୋଲାଇଲା
ନବ ଆବିଷ୍କାରେ ଚମକାଇ ଦେଇ
କାଳ କାଳ ଯଶ ରଖିଗଲା ।

ଥୋମାସ ଏଡିସନ୍ ନାମ ତା'ର
ବୈଜ୍ଞାନିକ ମଧ୍ଯେ ଅଟେ ସାର
ମାଆ କଥା ଦିନେ ମନରେ ଆସିଲା
ଖୋଜିଲା ସ୍ମୃତି ସେ ତା' ମାଆର ।

ହାତରେ ପଡିଲା ସେହି ଚିଠି
ପଢ଼ି ଅଶ୍ରୁ ଜଳେ ଗଲା ତିନ୍ତି
"ମାନସିକ ରୋଗୀ ପଢ଼ିବା ଅକ୍ଷମ"
ଲେଖା ଥିଲା "ନିଅ ନାମ କାଟି।"

ସେହିଦିନୁ ମାଆ ଗୁରୁ ତା'ର
ପଢାଇଲେ ହୋଇ ଆଗଭର
ଆମରଣ ନିଜେ ହାତେ ସେ ଗଢିଲେ
ଭବିଷ୍ୟତ ନିଜ ସନ୍ତାନର ।

ଧନ୍ୟ ସେ ଜନନୀ ! ତାହାଙ୍କର
ପ୍ରେରଣା ଉତ୍ସାହ ଚମତ୍କାର
ଅକ୍ଷମକୁ ମଧ୍ୟ ସକ୍ଷମ କଲେ
ବିଶ୍ୱବନ୍ଦିତା ସମାଜର ।

ସେହି ମାନସିକ ରୋଗୀ ପିଲା
ବଡ ବୈଜ୍ଞାନିକ ବୋଲାଇଲା
ନିଷ୍ଠା, ସାଧନା ଉନ୍ନତି ସିଡି
ପ୍ରମାଣ କରି ସେ ଦେଖାଇଲା ।

ଘନଶ୍ୟାମ ସାହୁ
ସହ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ ,ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର -- ୯୪୩୭୬୬୪୫୩୭,
ପିନ୍ କୋଡ -- ୭୫୯୧୨୭ ।


ରଚନା : ଘନଶ୍ୟାମ ସାହୁ

ଠିକଣା : ବଇଣ୍ଡା, କିଶୋର ଗଞ୍ଜ, ଜିଲ୍ଲା -- ଅନୁଗୋଳ,  ଦୂରଭାଷ : ୭୯୭୮୦୫୭୬୯୫

Post a Comment

0Comments
Post a Comment (0)