ତୁମେ ସରଜିଛ ସବୁ ତ ସଂସାରେ
ପୂଜିବି କି ଦେଇ ଆଉ ,
ଏତିକି କରୁଣା କରିଥାଅ ନାଥ
ତୁମ ସହ ଭାବ ଥାଉ ।

ଜଳ,ସ୍ଥଳ,ନଭ,ନକ୍ଷତ୍ର ଗଢ଼ିଛ
ତୁମେ ତ ଜଗତ ହିତେ ,
ସବୁଜ ସୁନ୍ଦର ପ୍ରକୃତି ସୃଜିଛ
କେତେ କଉଶଳେ ସତେ !!

ମନ ଜିଣା କେତେ ଫୁଲ ଫୁଟାଇଛ
ସୁବାସ ଦେଇଛ ଭରି ,
ଯେତେ ଯାହା ସଙ୍ଗେ ତୁଳନା କରିଲେ
କିଏ ହେବ ତୁମ ସରି !!

ଧରା ପରେ ଶ୍ରେଷ୍ଠ ଜନମ ଦେଇଛ
ତୁମେ ପରା ନାଥ ମୋତେ ,
ଏ କଥାଟି ହେଜ ରଖିକରି ମୁହିଁ
କରୁଛି କରମ ଯେତେ ।

ହେ ପରାଣ ବନ୍ଧୁ କୃପା କରିଥାଅ
ତୁମଠି ଥାଉ ମୋ ଚିତ୍ତ ,
ମାଗୁନାହିଁ ଜମା ସରଗର ସୁଖ
କିବା ମୁଁ ଅସରା ବିତ୍ତ ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।