କାଠି -କୁଟା ଧୂଳି -ଗୁଣ୍ଡ ସମ କକ୍ଷ ଭଙ୍ଗାପିଣ୍ଡ,
ଫିମ୍ପି -ପଟୁ ତନୁ-ମୁଣ୍ଡ ଭାବେ ତୁଲ୍ୟ ଘନପିଣ୍ଡ ,
କହୁ ପାଦେ ମୋ' ବ୍ରହ୍ମାଣ୍ଡ ଗର୍ବେ ଅହଂ ବାନ୍ଧେ ମଣ୍ଡ ,
ଖିଅ-ଖଇ ମେରୁଦଣ୍ଡ ଆକସ୍ମିକେ ହୁଏ ଗୁଣ୍ଡ ।
ହେ ଧର୍ମାତ୍ମା ! ତୁଚ୍ଛ ଗାରିମା ତବ ମହିମା !।୧।
ପବନ- ଅନଳ- ଜଳ କାଳେ ଠୁଳ ଏକ ମେଳେ,
କେବା ଅଛି ମହୀତଳ ଦେଖା ନିଜ ବାହୁବଳେ ଯ,
ଏ କଥା ନ ଜାଣି ପାଗଳ ଦୁଷ୍ଟ ପଣେ କୋଳାହଳ,
ପତ୍ରେ ଜଳ ଟଳମଳ କାହିଁ ବୁଝେ ମୂର୍ଖଦଳ ।
ହେ ଧର୍ମାତ୍ମା ! ତୁଚ୍ଛ ଗାରିମା ତବ ମହିମା !।୨।
ହଳଦୀ ଅଳତା ପାଦ ଦିଶେ ନାଲି ସନ୍ତ ସନ୍ତ,
ବେଶ୍ଯା ନାରୀ ସଙ୍ଗେ ମଦ ଶାନ୍ତି ତୃପ୍ତି ଭେଣ୍ଡା ସ୍ବାଦ,
ଗୁଣ୍ଡା ଭାଇ ମହାଯାନ ଗଗନ ପବନେ ,
ଗନ୍ ଠନ୍ ବୀରପଣ ଦଳବିନା ଶ୍ବାନ ସମାନ,
ହେ ଧର୍ମାତ୍ମା ! ତୁଚ୍ଛ ଗାରିମା ତବ ମହିମା !।୩।
ଗ୍ରାମରକ୍ଷୀ ସରପଞ୍ଚ ସୁଖଦୁଃଖ କରେ ଯାଞ୍ଚ,
ବାବୁ କଥା ଲୋକ ପାଞ୍ଚ ସତ୍ୟ- ନ୍ଯାୟ ରଙ୍ଗ ମଞ୍ଚ ,
ଦେଖ ଏବେ ସରପଞ୍ଚ ଦସ୍ତଖତେ ମାଗେ ଲାଞ୍ଚ,
ଜରାଜୀର୍ଣ୍ଣ ତଣ୍ଟି ଖେଞ୍ଚ କହେ ମଲେ ପାଣି ଛିଞ୍ଚ,
ହେ ଧର୍ମାତ୍ମା ! ତୁଚ୍ଛ ଗାରିମା ତବ ମହିମା !।୪।
ଦଳ ବଳ ରାଜ ପଥେ ମନ୍ତ୍ରୀ ସାର୍ ଏ.ସି. ରଥେ,
ପୋଷା କୁତା କେତେ କେତେ ଡାଏଁ ବାଏଁ ସାଥେ ସାଥେ,
ନେତା ବାହୁ ଫୁଲା ଛାତି ଧନ୍ଯ ଆମ ରାଜନୀତି,
ସବୁ ଏଠି କୂଟନୀତି ଜନସେବା ମିଥ୍ୟା ପଂକ୍ତି,
ହେ ଧର୍ମାତ୍ମା ! ତୁଚ୍ଛ ଗାରିମା ତବ ମହିମା !।୫।
ମନ୍ତ୍ରୀ ଯିବେ ଦୂର ଦେଶ ଖର୍ଚ୍ଚ ଦିଏ ରାଜକୋଷ,
ମୁଣ୍ଡ ପିଛା ଋଣ କଷ କେତେ ଦୃଢ଼ ଆମ ଦେଶ ?,
କର୍ମ ବିନା ଅରାଜକ ଯୁବ ଭ୍ରଷ୍ଟ ଅନିଷ୍ଟକ,
ନେତା ମନ୍ତ୍ରୀ ଧଣ୍ଡାପୋକ କଳାବିତ୍ତ ଧର୍ମାଶୋକ ,
ହେ ଧର୍ମାତ୍ମା ! ତୁଚ୍ଛ ଗାରିମା ତବ ମହିମା !।୬।
ଓଧ ହସ୍ତେ ବେଦଥଳି ଶ୍ଳୋକ ପାଠ କରତାଳି,
ଛେଳି ମେଣ୍ଢା ବୋଦା ମେଳି ହୋମ ଯଜ୍ଞ ଘିଅ ଢ଼ାଳି,
କାକ ଦିଏ ହୁଳହୁଳୀ ଗଧ ଫୁଙ୍କଇ କାହାଳୀ,
ମୂଷା ନନା ଷଣ୍ଢ ଭଳି ସମ୍ଭାଳେ ଦାସ ଗହଳି,
ହେ ଧର୍ମାତ୍ମା ! ତୁଚ୍ଛ ଗାରିମା ତବ ମହିମା !।୭।
ଭାଗବତ, ରାମାୟଣ, ବାଇବେଲ୍ ୟା କୋରାନ୍,
ରାମ ନାମ ଖ୍ରୀଷ୍ଟ ଧ୍ଯାନ ଆଲ୍ଲାରୂପି ସତମନ,
ସତ୍ କର୍ମ ସତ୍ ଧର୍ମ ମାର୍ଗ ଏକ ଆତ୍ମଜ୍ଞାନ,
ହିନ୍ଦୁ-ଖ୍ରୀଷ୍ଟ-ମୁସଲିମ୍ ମୂର୍ଖ ମତେ ଭିନ୍ନ ଭିନ୍ନ,
ହେ ଧର୍ମାତ୍ମା ! ତୁଚ୍ଛ ଗାରିମା ତବ ମହିମା !।୮।
ଗୋରୁ ମଇଁଷି ବେପାର ଚଣ୍ଡାଳ କର୍ମ ଆଦର,
ମେଣ୍ଢା -ଛେଳି ମାଂସ ଆହାର ଗାଈ କଟା ପରିବାର,
କେଉଁ ଧର୍ମ ବା ପରିଷ୍କାର ଲେଖା ଗୋ ମାଂସ ଆହାର,
ମୁଣ୍ଡ ବଳି ଦେବୀ ଛାମୁର ଧନ୍ଯ ତୁମ ଧର୍ମ ଜୁହାର,
ହେ ଧର୍ମାତ୍ମା ! ତୁଚ୍ଛ ଗାରିମା ତବ ମହିମା !।୯।
ପୂଜା ବିଧାନ ସାଷ୍ଟାଙ୍ଗ ମଦ ମାଂସ ରେପ୍ ଢଙ୍ଗ,
ବବ୍ କଟିଙ୍ଗ୍ ପପ୍ ରଙ୍ଗ ଡିଜେ ସାଉଣ୍ଡ୍ ମୃଦଙ୍ଗ,
ପୁରୁଣା ଗଲେ ଉଭେଇ ନୂତନ ଯିବ ଆଗେଇ,
ସଂସ୍କୃତ ଭୁଲିଲେ ଭାଇ ଦେଶ କିବା ଯିବ ଆଗେଇ ।
ହେ ଧର୍ମାତ୍ମା ! ତୁଚ୍ଛ ଗାରିମା ତବ ମହିମା ! ।୧୦।
ବୁଢ଼ା ପେଟ ଛଟପଟ,ବୁଢ଼ୀ କ୍ଳାନ୍ତ ଦୁଃଖ କଷ୍ଟ,
ଡାଁଆଁସ ମଶା ପଟପଟ,ଗାଇଶାଳେ ଶୁଆଖଟ,
ବାଃ ! ବୋହୂ ରାଜଉଆସ ଟି.ଭି. ଫେନ ଏ.ସି. ଦେଶ,
ବାପ ଧନ ପୁଅ ଅଫିସ୍ ବୋହୂ କରେ ବ୍ରେକ୍ ଡ୍ଯାନ୍ସ !
ହେ ଧର୍ମାତ୍ମା ! ତୁଚ୍ଛ ଗାରିମା ତବ ମହିମା !।୧୧।
ବଡ଼ଘର ବଡ଼ବୋହୂ ବଡ଼ଗର୍ବି ସାଜେ ଦାଉ,
ବ୍ଯୁଟିପାଲ୍ ଫେସ୍ ହେଉ ଭୂଲତା ଡିଆଁ ଆଖିଦେଉ,
ଜାଲି ଶାଢ଼ୀ ଦେହେ ପଇତା ରୂପାମାଳୀ ଅଣ୍ଟା ସୂତା,
ରାତି ବାର ମଦମତ୍ତା ସ୍ବାମୀ ଗାଲେ ହିଲ୍ ଜୋତା,
ହେ ଧର୍ମାତ୍ମା ! ତୁଚ୍ଛ ଗାରିମା ତବ ମହିମା ! ।୧୨।


ରଚନା : ଭଜରାମ ସେଠୀ

ଠିକଣା : ନିରାଳ,ଆସିକା ଗଂଜାମ ଦୂରଭାଷ : 9566876504