ଛାଇ ପରି ତୁମ ଆଶପାଶରେ ମୁଁ
ଅଛି ଗୋ ରାଧିକେ ସଦା ,
ମୋତେ ଝୁରି ଜମା ଝରାଅନା ଅଶ୍ରୁ
ଦୁଃଖୀ ହୋଇ ତୁମେ କଦା ।

ହୃଦୟକୁ ଥରେ ପଚାରି ବୁଝ ଗୋ
ସେଠି ନାହିଁକି ମୋ ଛବି ,
ଦୂରେ ଅଛି ବୋଲି ବାରବାର କିଆଁ
ହେଉଅଛ ତେବେ ଭାବି !

ମୋ ଗୁଣ ଗରିମା ଗୁଣି ଗୁଣି ଯାହା
ତନୁ କରୁଅଛ କ୍ଷୀଣ ,
ତୁମ ମୋ ଭିତରେ ପାର୍ଥକ୍ୟ ହିଁ ନାହିଁ
ପକାଇ କହୁଛି ରାଣ ।

ମୋ ଭିତରେ ତୁମେ ପ୍ରାଣ ହୋଇ ଅଛ
ତୁମରି ଭିତରେ ମୁହିଁ ,
ଭିନ୍ନ ଦେହ ଆଉ ସ୍ଥାନ ଆମ ସିନା
କର୍ତ୍ତବ୍ୟ ପାଳନ ପାଇଁ ।

ଜଗତ କଲ୍ୟାଣ ଲାଗି ଆମ ଜନ୍ମ
ମିଳନ ବିଚ୍ଛେଦ ଲୀଳା ,
ତେଣୁ ଗୋ ରାଧିକେ ଅଧୈର୍ଯ୍ୟ ହୋଇକି
କାର୍ଯ୍ୟରେ ନ କର ହେଳା ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।