ପୁସ୍ତକ ମୌକ୍ତିକ ରମ୍ୟ ଉପହାର
ଶବଦ ମଞ୍ଜୁଳ ଧନ ,
ବହୁ ପୁରାତନ ଅମୂଲ୍ୟ ସମ୍ପଦ
ସର୍ବଯୁଗେ ହରେମନ ! !

ଋଷି ମୁନିଋଷି ପୁସ୍ତକ ସରାଗି
ଜ୍ଞାନଜ୍ୟୋତି ସୁତ୍ରଧର ,
ପୁରାଣେ ବର୍ଣ୍ଣିତ ପୁସ୍ତକ ମହତ୍ତ୍ଵ
ଗୁପ୍ତଜ୍ଞାନ ଗନ୍ତାଘର ! !

ଅଗାଧ ପାଣ୍ଡିତ୍ୟ ପୁସ୍ତକେ ନିହିତ
ଗୁରୁକହେ ଆହେଶିଷ୍ୟ ,
ପୁସ୍ତକ ପଠନ ଜୀବନ ଦର୍ଶନ
ଜିଜ୍ଞାସୁର ଅଭିଳାଷ ! !

ସ୍ଵର୍ଣ୍ଣାଭ ସ୍ଵାକ୍ଷର ଜ୍ଞାନ ଗନ୍ତାଘର
କୁହୁକ ମନ୍ତର ପେଡ଼ି ,
କବି ପ୍ରାବନ୍ଧିକ ଗାଳ୍ପିକ ରସିକ
ପୁସ୍ତକ ପ୍ରେମରେ ଯୋଡି ! !

ବିଜ୍ଞ ବୈଜ୍ଞାନିକ ଡାକ୍ତର ବଇଦ
ସଭିଏଁ ପୁସ୍ତକ ବନ୍ଧୁ ,
ଜ୍ଞାନ ଆରୋହଣେ ସୌଭାଗ୍ୟ ବିଜୟେ
ସାଜନ୍ତି ସମାଜେ ସିନ୍ଧୁ ! !

ପୁସ୍ତକ ମହଲ ପ୍ରକୃତ ସମ୍ପଦ
ଲେଖନୀର ପ୍ରୀତି ଧାର ,
କବିକି ଲେଖକ କୁଶଳୀ ଯାନ୍ତ୍ରିକ
ପୁସ୍ତକର ମଧୁସ୍ଵର ! !

ଅକୁହା କଥାର ପରମ ସଙ୍ଗାତ
ପୁସ୍ତକ ଧବଳ ପୃଷ୍ଠା ,
କଲମ କାଳିରେ କବି ଲେଖି ଦିଏ
ଆହାକି ଶରଧା ନିଷ୍ଠା ! !

ହସ କାନ୍ଦ ଭରା ପୁସ୍ତକ ପସରା
ଗାଳ୍ପିକ କୁହୁକ ଗାଥା ,
ସୁଖଦୁଃଖ ଛବି ଦୃଶ୍ୟମାନ ଅତି
ନଇଁଯାଏ ଆପେମଥା ! !

ସମାଜିକ ଚିତ୍ର ପୁସ୍ତକର ମିତ୍ର
ସଂସାରେ ସଂସାରି ସାଥୀ ,
ଅନବଦ୍ୟ କୃତି ସୃ୍ଷ୍ଟି କରିଛନ୍ତି
ବରେଣ୍ୟ ସାଧକ ମୈତ୍ରୀ ! !

ଭାରି ଉପାଦେୟ ଅଶେଷ ସମ୍ପଦ
ବିଦ୍ୟାରତ୍ନ ମୁକ୍ତାମଣି ,
ପୁସ୍ତକ ଗୌରବ ବିଦ୍ୟାର୍ଥୀ ବାନ୍ଧବ
ଜ୍ଞାନ ବାଣ୍ଟେ ମନ ଜାଣି ! ! 


ରଚନା : ସଦାନନ୍ଦ ସାହୁ

ଠିକଣା : ଆଠଗଡ଼ , କଟକ ଦୂରଭାଷ : 7978517998