କାହିଁ କେଉଁ ପୂରୁଣା ଯୁଗରୁ
ଗୀତା ଆଉ ଭାଗବତ ପରି
ନିନ୍ଦା ମାହାତ୍ମ୍ଯ ବି ପ୍ରଚଳିତ
ସମାଜକୁ ବାର୍ତ୍ତା ଦେଲା ପରି
ଯିଏ ବା ଆଣୁନା କାହିଁ
ନିନ୍ଦାରୂପୀ ମାହାତ୍ମ୍ୟକୁ ମର୍ତ୍ତ୍ଯେ
ଧର୍ମ ଶାସ୍ତ୍ର ପରି ଏହା
ଅଛି ବୋଧେ ସମାଜର ହିତେ?

ଧନୀ ଠୁଁ ଗରୀବ ଯାଏ
ସଦଗୁରୁ ସାଧୁସନ୍ଥ ଯେତେ
ହୁଅ ବା ସ୍ବର୍ଗୀୟ ତୁମେ
ଭୂତପୂର୍ବ କର୍ମଚାରୀ କେତେ
ସାମାଜିକ କ୍ଷେତ୍ର ଅବା
ନୀତି,ନେତା,ଆମ ରାଜନୀତି
ନିନ୍ଦା ମାହାତ୍ମ୍ୟରେ ସର୍ବେ
ହେଉଥାନ୍ତି ଉବୁଟୁବୁ ନିତି

ଧର୍ମ ପ୍ରବଚନ ପରି ନିନ୍ଦା
ଅଟେ କାଳେ ସୁଦୁର ପ୍ରସାରି
ଜାତି, ଧର୍ମ ,ବର୍ଣ୍ଣ ବିଶେଷରେ
ନିନ୍ଦୁକ'ଯେ ରହିଛନ୍ତି ଭରି
ନିନ୍ଦା ମାହାତ୍ମ୍ୟର ଯେଣୁ
ରହିଅଛି ଇତିହାସ ତତ୍ତ୍ବ
ସେଥି ପାଇଁ ମାହାତ୍ମ୍ୟଟା
ସାରା ବିଶ୍ବେ ଅଛି ପରିବ୍ୟାପ୍ତ

ଜଣେ ଶ୍ରୋତା ଜଣେ ହେଲେ ବକ୍ତା
ଜମି ଯାଏ ନିନ୍ଦାର ଆସର
ଦୁଇ ନିନ୍ଦୁକରେ ଚାଲେ
ନିନ୍ଦା ଗାନ ତୃତୀୟ ପକ୍ଷର
ମାହାତ୍ମ୍ୟଟା ଲେଖା ଯାହା ପାଇଁ
ଆସରରେ ନଥାଏ ସେ କେବେ
ପଶ୍ଚାତରେ ନିନ୍ଦେ ବକ୍ତା
ସମ୍ମୁଖରେ କହେ ନାହିଁ କେବେ

ଶୁଣିଲେ ନିନ୍ଦା ମାହାତ୍ମ୍ୟ
ଅସ୍ଥିରତା ମନୁ ହୁଏ ଦୁର
ଶ୍ରୋତା,ବକ୍ତା ଉଭୟଙ୍କ ମନ
ଆନନ୍ଦରେ ହୁଏ ଜରଜର
ନିନ୍ଦା ମାହାତ୍ମ୍ୟରୁ ମିଳେ
ଅସରନ୍ତି ମାନସିକ ଶାନ୍ତି
ପରିପାକ ହୁଏ ଖାଦ୍ୟ
ନିନ୍ଦାରୂପୀ ମାହାତ୍ମ୍ୟକୁ ଚିନ୍ତି

ଆଜିକାଲି ନିନ୍ଦାର ପ୍ରସାର
ମାଡିଚାଲେ ପବନ ବେଗରେ
ନେତା ନାମକ ପ୍ରାଣୀଙ୍କ
ମାହାତ୍ମ୍ୟଟା ସବୁଠୁ ଆଗରେ
ଶାସକ ବିରୋଧୀ ଯେତେ
ଦେଶ ଅବା ପ୍ରଦେଶ ଭିତରେ
କରୁଥାନ୍ତି ନିନ୍ଦା ଗାନ
ଜଣେ ଜଣେ ଅନ୍ୟ ଜଣ ପରେ

ବ୍ୟାପକ ପ୍ରସାର ପାଇଁକି
ସୁପ୍ରସିଦ୍ଧ ନିନ୍ଦା ମାହାତ୍ମ୍ୟର
ସବୁଠୁ ଉତ୍ତମ ଏଠି
ଭୂମିକାଟା ଗଣମାଧ୍ୟମର
କରିଚାଲ ନିନ୍ଦାଗାନ
ମିଛ ଅବା ସତ ଘଟଣାରେ
ଲେଖିଦିଅ ନାଆଁ ତୁମ
ଦୁନିଆର ଶ୍ରେଷ୍ଠ ନିନ୍ଦୁକରେ

ରଚନା : ସରୋଜ କୁମାର ଶତପଥୀ

ଠିକଣା : ଗାୟତ୍ରୀ ବିହାର,ଯାଜପୁର ରୋଡ୍ ,ଯାଜପୁର ଦୂରଭାଷ : ୭୯୭୮୪୧୨୮୯୯